ନ୍ୟୁଜ୍

ସାବିତ୍ରୀଙ୍କ ପାଇଁ ନବୀନ, ବିଜୟଙ୍କ ପାଇଁ ଧର୍ମେନ୍ଦ୍ର-ପ୍ରତାପ

Naveen Pratap Dharmendra

ଭୁବନେଶ୍ୱର/ ପାଟକୁରା: ପାଟକୁରା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଚାରର ଶେଷ ଦୁଇଦିନ ହାଇଟେକ୍‌ ରୋଡ୍‌ ସୋ କରିବେ ମୁଖ୍ୟମନ୍ତ୍ରୀ । ଗାଁ ଗାଁ ବୁଲି ସାବିତ୍ରୀଙ୍କ ପାଇଁ କରିବେ ଭୋଟ ଭିକ୍ଷା । ପୂର୍ବରୁ ବହୁ ମନ୍ତ୍ରୀଙ୍କ ସହ ଡ୍ରଜନେରୁ ଅଧିକ ବିଧାୟକ ଓ ନେତା ପାଟକୁରାରେ ଡେରା ପକାଇଛନ୍ତି । ସେପଟେ ବିଜୟଙ୍କ ପାଇଁ ବିଜେପି ମଧ୍ୟ ସବୁ ଦମ୍‌ ଲଗାଇଛି ।

ପାଟକୁରା ନିର୍ବାଚନ ପାଇଁ ଆସନ୍ତା 17 ଓ 18ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓହ୍ଲାଇବେ ପ୍ରଚାର ମଇଦାନକୁ । ହାଇଟେକ୍ ବସ୍‌ରେ ବୁଲି ବୁଲି କରିବେ ପ୍ରଚାର । ସେପଟେ ଏହା ପୂର୍ବରୁ ଅନେକ ଫ୍ରଣ୍ଟ ଲାଇନ୍ ଲିଡରଙ୍କ ସହ 7 ଜଣ ମନ୍ତ୍ରୀ ଓ 25 ବିଧାୟକଙ୍କୁ ଦଳ ପକ୍ଷରୁ  ନିୟୋଜିତ କରାଯାଇଛି । ଡେରାବିସ୍ ବ୍ଲକ ଦାୟୀତ୍ୱରେ ଅଛନ୍ତି ପୂର୍ବତନ ବ୍ରହ୍ମଗିିରି ବିଧାୟକ ସଂଜୟ ଦାସ ବର୍ମା ଓ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମୋଟ୍ 26 ଟି ପଂଚାୟତରୁ ସଂଜୟଙ୍କ ଅଧିନରେ 14ଟି ପଂଚାୟତ ଥିବା ବେଳେ ଅରୁଣ ସମ୍ଭାଳିବେ ବାକି 12ଟି ପଂଚାୟତ । ସେହିପରି 7ଟି ପଂଚାୟତଙ୍କୁ ନେଇ ଗଠିତ ମାର୍ଶାଘାଇ ବ୍ଲକ ଉପରେ ନଜର ରଖିବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଦୀପ୍ତ ପାଣିଗ୍ରାହୀ । କିନ୍ତୁ ବିଜେପି ପ୍ରାର୍ଥୀ ବିଜୟଙ୍କ ଗଡ ଥିବା ଗରଦପୁର ବ୍ଲକର 18ଟି ପଂଚାୟତ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଭରଷା କରିଛନ୍ତି ସୁପ୍ରିମୋ ନବୀନ ।

ଜିତିବା ପାଇଁ ସବୁ ଦଳ ଫୁଲ ଦମ୍‌ରେ ଆରମ୍ଭ କରିଛନ୍ତି ଷ୍ଟ୍ରାଟେଜୀ । ଏଠାରେ  ମଧ୍ୟ ମହିଳା ଭୋଟରଙ୍କୁ ଟାର୍ଗେଟ କରି ବିଭାଗୀୟ ମନ୍ତ୍ରୀ ଟିକୁନି ସାହୁ ଓ କ୍ୟାପ୍ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆୟୋଜନ କରିଛନ୍ତି ମହିଳା ସମାବେଶ ।

ବିଜେଡିର ଏହି ଚକ୍ରବ୍ୟୁହକୁ ଧୁଳିସାତ୍ କରି ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ଫୁଲ ଦମ୍‌ ଦେଖାଇଛି ବିଜେପି । ନିଜର ନିର୍ବାଚନୀ ପ୍ରଚାର ସହ ବିଜୟଙ୍କୁ ବିଜୟୀ କରାଇବା ଲକ୍ଷ୍ୟରେ ବିଜେପି । ରାଜ୍ୟ ନେତୃତ୍ୱଙ୍କ ସହ ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତାକୁ ଆୟୁଦ୍ଧ କରି ବିଜୟଙ୍କ ପାଇଁ ଭୋଟ ମାଗିଛନ୍ତି ପ୍ରତାପ । ସେପଟେ ଆସନ୍ତା 13 ଓ 14ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାଟକୁରାରେ ବିଜୟଙ୍କ ପାଇଁ କରିବେ ପ୍ରଚାର ।

ଅନ୍ୟପଟେ କିନ୍ତୁ ପ୍ରଚାର ରେସ୍‌ରେ ପଛରେ ପଡିଯାଇଛି  କଂଗ୍ରେସ । ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ସ୍ୱତନ୍ତ୍ର ବୈଠକ କରି ରଣନୀତି ପ୍ରସ୍ତୁତ କରିଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପରେ ପ୍ରଚାର ଅଭିଯାନକୁ ବଢାଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ପାଟକୁରା ଉପନିର୍ବାଚନ ଜିତିବା ବିଜେଡି ପାଇଁ ସମ୍ମାନର ପ୍ରସଙ୍ଗ ଥିବା ବେଳେ ବିଜେପିର ବିଜୟଙ୍କ ପାଇଁ ଏହା ସ୍ୱାଭିମାନ ପାଲଟି ଯାଇଛି । ତେବେ ସରକାରୀ ଦଳ ଓ କଳର ରଣନୀତି ପାଖରେ ପାଟକୁରା ଭୋଟର କାହା ସପକ୍ଷରେ ଯାଉଛନ୍ତି ତାହା ଆସନ୍ତା 20 ତାରିଖରେ ସ୍ପଷ୍ଟ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top