ନ୍ୟୁଜ୍

ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଏବେ ବି ଭଉଣୀର 15 ଲକ୍ଷ ଟଙ୍କା ଋଣ ସୁଝି ନାହାନ୍ତି ନବୀନ !

MINISTER Naveen

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦପ୍ତରକୁ ରାଜ୍ୟର ମନ୍ତ୍ରୀମାନେ 2018-19 ଆର୍ଥିକ ବର୍ଷର ନିଜର ସମ୍ପତ୍ତି ତାଲିକା ଦେଇଛନ୍ତି । 26 ଲକ୍ଷ ଟଙ୍କାର ସମ୍ପତ୍ତି ସହ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଲିକାର ଶେଷରେ ଥିବା ବେଳେ ସର୍ବାଗ୍ରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତାଲିକାରେ ଅନେକ ମନ୍ତ୍ରୀ କୋଟିପତି ବୋଲି ଦେଖାଯାଇଛି । କେହି କେହି 2019 ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମ୍ପତ୍ତି ବିବରଣୀ ଦେଇଥିବା ବେଳେ କେହି କେହି ଜୁଲାଇ ଶେଷ ପର୍ଯ୍ୟନ୍ତ ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ ଲକ୍ଷ ଟଙ୍କା ଥିବା ବେଳେ ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ ଲକ୍ଷ ଟଙ୍କା ଓ ଝିଅ ଦୀପାଳୀଙ୍କ ପାଖରେ ୨.୦୭ ଲକ୍ଷ ଟଙ୍କା ରହିଛି । ଏହିପରି ପ୍ରାୟ ୩୨ଲକ୍ଷ ନଗଦ ରହିଥିବା ନବ ଦର୍ଶାଯାଇଛନ୍ତି । ଏହାସହ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ୍‌ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ସ୍ଥାୟୀ ଜମା ରହିଛି । ଏହା ସହ ସବୁଠାରୁ ବଡ଼ କଥା ହେଲା ନବ ଦାସ ନିଜର ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ ତିନୋଟି ବନ୍ଧୁକ ରହିଛି । ସେଥିମଧ୍ୟରୁ ଦୁଇଟି ରିଭଲବର ଓ ଗୋଟିଏ ରାଇଫଲ । ତେବେ ବନ୍ଧୁକ ରଖିବା କୌଣସି ଭୁଲ୍‌ ନୁହେଁ, ଆଉ ଛାତ୍ର ଜୀବନରୁ ସେ ବନ୍ଧୁକ ରଖି ଆସୁଛନ୍ତି ବୋଲି କହିବା ପରେ ଏହାକୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେହିଭଳି ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପୂର୍ବଭଳି ସବୁଠୁ ଧନୀ ମନ୍ତ୍ରୀ ରହିଥିଲେ ମଧ୍ୟ ଏଯାଏଁ ନିଜ ଭଉଣୀଠୁ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ପରିଶୋଧ କରିନାହାନ୍ତି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୪୯.୨୪ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩.୬୪ କୋଟି ଟଙ୍କାକୁ ଛୁଇଁଛି । ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବା ବେଳେ ୨ଲକ୍ଷରୁ ଅଧିକ ଟଙ୍କାର ଜୁଏଲାରୀ ମଧ୍ୟ ଅଛି ।

ସେହିଭଳି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜି ଓ ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ ପ୍ରାୟ ୧୦କୋଟି ଟଙ୍କାର ସମ୍ପତ୍ତି ରହିଛି । ପ୍ରତାପଙ୍କ ପାଖରେ ୧୮୦ ଗ୍ରାମ୍‌ ସୁନା ଓ ତାଙ୍କ ପତ୍ନୀ ଡେଜିଙ୍କ ପାଖରେ ୬୦୦ଗ୍ରାମ ସୁନା ଓ ୨ କିଲୋ ରୁପା ରହିଥିବା ତାଲିକାରେ ଦର୍ଶାଯାଇଛି ।

କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଅରୁଣଙ୍କଠୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ଏକଥା ତଥ୍ୟ କହୁଛି । ତାଙ୍କ ୨ ଝିଅଙ୍କ ନାଁରେ ସାଢ଼େ ୭ଲକ୍ଷ ଟଙ୍କାର ବୀମା ବଣ୍ଡ ରହିଥିବା ବେଳେ ଅରୁଣଙ୍କ ପତ୍ନୀ ୮.୧୬ଲକ୍ଷ ଟଙ୍କାର ଋଣଚାପରେ ରହିଛନ୍ତି । ୪୫୦ ଗ୍ରାମ୍‌ ସୁନା ଓ ୨ଟି କାର୍‌ ରହିଛି ।

ଦ୍ୱିତୀୟ ଥର ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨କୋଟି ଟଙ୍କା ବୋଲି ରିପୋର୍ଟରୁ ଜଣାପଡ଼ିଛି । ଭୁବନେଶ୍ୱରରେ ତାଙ୍କର ୨ଟି ଆପାର୍ଟମେଣ୍ଟ, ୪ଟି କାର ଓ ଟିଟିଲାଗଡ଼ରେ ଦୁଇ ମହଲା କୋଠା ସହ ପ୍ରାୟ ୬ ଏକରର ମୂଲ୍ୟବାନ ଜମି ରହିଛି । ଟୁକୁନିଙ୍କ ପାଖରେ ୨୫୦ ଗ୍ରାମର ସୁନା ଓ ଦେଢ଼ କିଲୋ ରୂପା ରହିଛି ।

ସେହିପରି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୨ ଲକ୍ଷ ଟଙ୍କା ରହିଥିବା ବେଳେ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ପ୍ରାୟ ୩୫ଲକ୍ଷ ଟଙ୍କାର ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଛି । ସେହିଭଳି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ୨୫.୬୦ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ୪୮୦୦ବର୍ଗଫୁଟର ଜମି ରହିଛି । ୫ଲକ୍ଷ ଟଙ୍କାର କାର ଓ ୯୦ ଗ୍ରାମର ସୁନା ମଧ୍ୟ ତାଙ୍କର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top