ନ୍ୟୁଜ୍

ନିଜ ନେତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରୁ ନାହାନ୍ତି ନବୀନ.. !

prasanna

ଭୁବନେଶ୍ୱର: ବିଜେଡିରେ ଏବେ ରାଜ୍ୟସଭା ଉପନିର୍ବାଚନକୁ ନେଇ ଚାଲିଛି ଅଙ୍କକଷା । ଗତକାଲି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ଦଳରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଖାଲି ପଡ଼ିଥିବା 3 ଟି ରାଜ୍ୟସଭା ଆସନରେ ସୁପ୍ରିମୋ କାହାକୁ ଥଇଥାନ କରିବେ ସେନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ମାନସମନ୍ଥନ ।

ସବୁଠାରୁ ବଡ଼ କଥା ହେଲା ସମସ୍ତେ ଜାଣନ୍ତି ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା ହିଁ ସେ କାର୍ଯ୍ୟରେ କରି ଦେଖାଇଥାନ୍ତି । ହେଲେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟସଭା ପାଇଁ ଘୋଷଣା କରିଥିବା କିଛି ନାଁକୁ ଏଥର ରାଜ୍ୟସଭାରେ ସ୍ଥାନ ମିଳିବା ନେଇ ଅନିଶ୍ଚିତତା ଦେଖାଯାଇଛି । ପୂର୍ବରୁ ରାଜ୍ୟସଭା ଆସନ ପାଇଁ ପ୍ରଶନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ଘୋଷଣା କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, ନବୀନ ନିଜେ ଘୋଷଣା କରିଥିବା ଏହି ଦୁଇ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ରାଜ୍ୟସଭାକୁ ପଠାଯିବ ନାହିଁ ବୋଲି ସ୍ଥିର କରାଯାଇଛି ।

ସୂଚନା ଅନୁଯାୟୀ ଭୁବନେଶ୍ୱର ଲୋକସଭା ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଖରାପ ରହିଥିବାରୁ ମୁଖ୍ୟମନ୍ତ୍ରୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଖରାପ ପ୍ରଦର୍ଶନ ପାଇଁ କେଉଁଠି ନା କେଉଁଠି ବିଜେଡି ଶିବିରରେ ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ଦାୟୀ କରାଯାଉଛି । କାରଣ ବିଭିନ୍ନ ସମୟରେ ପ୍ରଶନ୍ନଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଷ୍ଟେଜ୍‌ ସେୟାର କରିଥିବା ଦେଖାଯାଇଛି । ତେବେ ଏହାକୁ ବିଜେଡି ଶିବିରରେ ଦଳ ବିରୋଧୀ ମଧ୍ୟ କୁହାଯାଉଛି । ଏହି କାରଣରୁ ପ୍ରଶନ୍ନଙ୍କୁ ରାଜ୍ୟସଭା ପଠାଇନପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଲାଣି ।

ସେପଟେ ବ୍ରହ୍ମପୁରର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏବେ ତାଙ୍କ ପ୍ରତି ନବୀନ ଅସନ୍ତୋଷ ଥିବା ସୂଚନା ମିଳିଛି । ତାଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଇ ନପାରନ୍ତି ନବୀନ ।

ବର୍ତ୍ତମାନର ଭିତିରି ସୂଚନା ଅନୁଯାୟୀ 3ଟି ରାଜ୍ୟସଭା ଆସନ ମଧ୍ୟରୁ ଦୁଇଟି ପାଇଁ ମୁଖ୍ୟମନ୍ତ୍ରୀ ନାଁ ସ୍ଥିର କରିସାରିଛନ୍ତି । ଆଉ ଅନ୍ୟଟି ପାଇଁ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଥାସମ୍ଭବ ରାଜ୍ୟସଭାକୁ ଯାଉଥିବା ଦୁଇଟି ନାଁ ହେଲା ରବିନ୍ଦ୍ର ଜେନା ଓ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ । ସେପଟେ ଅନ୍ୟ ଆସନ ପାଇଁ ମୁଖ୍ୟମନ୍ତ୍ରୀ ମହିଳା କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଗୋଟିଏ ଆସନ ପାଇଁ ଆକାଶ ଦାଶ ନାୟକ ଓ ଶ୍ରୀମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ନବୀନ ଏଠାରେ ମହିଳା କାର୍ଡ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ କିଏ ଯାଉଛି ରାଜ୍ୟସଭା ଆଉ କିଏ ରହୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top