ନ୍ୟୁଜ୍

କଂଙ୍ଗାରୁକୋର୍ଟ ପ୍ରସଙ୍ଗରେ ଗୃହରେ ଭୁଲ ତଥ୍ୟ ଦେଇଛନ୍ତି ଦିବ୍ୟଶଙ୍କର, ଇସ୍ତଫା ଦାବି କଲା କଂଗ୍ରେସ

Satyaprakash nayak

ଭୁବନେଶ୍ୱର: କଙ୍ଗାରୁକୋର୍ଟର ଶିକାର ହୋଇ ଗାଁରୁ ବାହାର ହୋଇଛନ୍ତି ଅନେକ ପରିବାର । ଏହାକୁ ଅନେକ ଦିନ ବିତିଗଲାଣି । ଏନେଇ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ସହ ପୋଲିସରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ଏବେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖାଲିପାଟଣା ଗାଁରେ । ତେବେ ଏଭଳି ଗୋଟିଏ କି ଦୁଇଟି ନୁହେଁ ପାଖାପାଖି 15ଟି ପରିବାର ଏଭଳି ଦଶା ଭୋଗୁଛନ୍ତି ।

ଏହି ଘଟଣାକୁ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ବର୍ଷିଛନ୍ତି କଂଗ୍ରେସର ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ପ୍ରାୟ ୧୫ଟି ପରିବାର ୨୦୦୭ ମସିହାରୁ କଙ୍ଗାରୁକୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଥିବା ଘଟଣାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହା ସହିତ ନିଜ ଉପରୁ ଦୋଷ ହଟାଇବା ପାଇଁ ରଣପୁର ବିଧାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ଭୁଲ୍‌ ତଥ୍ୟ ରଖିଥିଲେ । ଉକ୍ତ ତଥ୍ୟକୁ ପ୍ରଦେଶ କଂଗ୍ରେସ କମିଟି ତଥ୍ୟ ଓ ପ୍ରମାଣ ସହିତ ମିଥ୍ୟା ପ୍ରମାଣିତ କରିବା ସହ ପବିତ୍ର ଗୃହରେ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଭୁଲ୍ ତଥ୍ୟ ଦେଇଥିବାରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି ।

୨୦୦୭ ମସିହାରୁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ୧୫ଟି ପରିବାର କଙ୍ଗାରୁକୋର୍ଟର ଶିକାର ହୋଇ ଦୁର୍ବିସହ ଅବସ୍ଥାରେ ଆଜକୁ ୧୩ ବର୍ଷ ହେଲା ବାହାରେ ରହୁଛନ୍ତି । ୨୦୦୭ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର କମିଶନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ପରେ ବିଭିନ୍ନ ସମୟରେ ରାଜ୍ୟ ମାନବାଧିକାର ଓ ଉଚ୍ଚ ନ୍ୟାୟାଳୟ ଗ୍ରାମରେ ଶାନ୍ତି ଫେରିବା ସହିତ କଙ୍ଗାରୁକୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଛନ୍ତି ।

ଶେଷରେ ଜାତୀୟ ମାନବାଧିକାର କମିଶନ ନୟାଗଡ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ କଙ୍ଗାରୁକୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛି ସିଧାସଳଖ ଉତର ମାଗିଥିଲେ । ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ନିଜ ଦଳର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ମାଧ୍ୟମରେ ପ୍ରଶ୍ନ କଲେ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମାଧ୍ୟମରେ ଯେଉଁ ଉତର ରଖିଲେ, ତାହା ବାସ୍ତବ ସ୍ଥିତି ଠାରୁ ସଂପୂର୍ଣ୍ଣ ଭିନ୍ନ । କଙ୍ଗାରୁକୋର୍ଟର ଶିକାର ହୋଇଥିବା ଦୁଇ ପରିବାର ଯାହାକୁ ରାଜ୍ୟ ଗୃହ ମନ୍ତ୍ରୀ ଖଲିପାଟଣା ଗ୍ରାମରେ ରହୁଛନ୍ତି ବୋଲି ବିଧାନସଭାରେ ମତ ରଖିଥିଲେ ଉକ୍ତ ପରିବାରର ଦୁଇ ମହିଳା ଶିମେଶ୍ୱର ଜେନାଙ୍କ ମାତା ନିରୁପମା ଜେନା ଏବଂ ସରସ ପ୍ରଧାନ ଉପସ୍ଥିତ ରହି ଗୃହ ରାଷ୍ଟ୍ର ମନ୍ତ୍ରୀ ଯାହା କହୁଛନ୍ତି ମିଛ କହୁଛନ୍ତି ଏବଂ ଆମେ ଏବେ ମଧ୍ୟ ବାହାରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛୁ ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ମତ ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top