ନ୍ୟୁଜ୍

ସରକାରୀ କାମରେ ଯାଉଛନ୍ତି ହେଲେ ବିଜେଡି ନେତାଙ୍କ ଗାଡ଼ିରେ ବୁଲୁଛନ୍ତି ପାଣ୍ଡିଆନ୍‌ !

PANDIAIN

ଭୁବନେଶ୍ୱର: ବିଜେଡି ପ୍ରେମରେ ପଡିଛନ୍ତି ପାଣ୍ଡିଆନ । 5T ସଚିବଙ୍କ କିଛି ଏଭଳି କାର୍ଯ୍ୟ ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରି ତୋଳିଛି । ଦେବଗଡ଼ ଜିଲ୍ଲାକୁ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଗସ୍ତ କରିବା ସମୟରେ ଯେଉଁ ଗାଡିଟି ବ୍ୟବହାର କରିଥିଲେ ସେ ଗାଡିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବିଜେଡି ନେତାଙ୍କ ଗାଡିରେ 5T ସଚିବ ସରକାରୀ ଗସ୍ତ କରିବାର ଦୃଶ୍ୟ ଲାଗିଛି ଅର୍ଗସ ହାତରେ ।

ଖୋଲିଲା ସଚିବଙ୍କ ଜିଲ୍ଲା ବୁଲାର ଗୁମର, ଆଉ ପଦାରେ ପଡିଲା ପାଣ୍ଡିଆନଙ୍କ ବିଜେଡି ପ୍ରେମ । ବିଜେଡି ନେତାଙ୍କ ଗାଡିରେ ବୁଲୁଛନ୍ତି ଖୋଦ୍ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ଏପରି ଅଭିଯୋଗ ଆଣିଛନ୍ତି ବିରୋଧୀ । 5T ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ବରରୁ ସିଧାସଳଖ ହେଲିକପ୍ଟର ଯୋଗେ ଦେବଗଡରେ ପହଞ୍ଚିବା ପରେ ଏକ ଗାଡ଼ି ବ୍ୟବହାର କରିଛନ୍ତି । ସେହି ଗାଡ଼ି ନମ୍ବର ହେଉଛି OD28A 0333 । ଯାହାର ମାଲିକାନା ରହିଛି ଜଣେ ବିଜେଡି ନେତାଙ୍କ ନାମରେ । ଏ କଥା ଆମେ କହୁନୁ ବରଂ ବାହାନ ଆପ୍‌ ଓ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଯେ OD28A 0333 ନମ୍ବର ଗାଡିର ମାଲିକ ହେଉଛନ୍ତି ନିଶାନି ବେହେରା । ଆଉ ଏହି ନିଶାନି ବେହେରା ହିଁ ହେଉଛନ୍ତି ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଯାହାକୁ ଖୋଦ୍ ପ୍ରମାଣିତ କରୁଛି ସରକାରଙ୍କ ତଥ୍ୟ । ସରକାରୀ ତଥ୍ୟ କହୁଛି ନିଶାନି ବେହେରା 2017 ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଜିଲ୍ଲା ପରିଷଦ ପ୍ରୀର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି 5T ସଚ୍ଚିବ ଭି.କେ ପାଣ୍ଡିଆନ କାହିଁକି ସରକାରୀ ଗାଡି ବଦଳରେ ବିଜେଡି ନେତାଙ୍କ ଗାଡି ବ୍ୟବହାର କରିଥିଲେ । ବ୍ୟବହାର ପଛର କାରଣ କଣ ?

ତେବେ ଏହାକୁ ନେଇ ପୂର୍ବତନ ପ୍ରଶାସନିକ ଅଧିକାରୀ କହିଛନ୍ତି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୁସ୍‌ କରିବାକୁ ଯାଇ ସରକାରୀ କାର୍ଯ୍ୟ ଆଳରେ ବିଜେଡିର ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଲାଗି ପଡିଛନ୍ତି ।

ସେପଟେ କିନ୍ତୁ ଉନ୍ନୟନ କମିଶନର ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଶୁଣାଇଛନ୍ତି ଚରମ ବାଣୀ । ଏଣିକି ସରକାରୀ ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ଆଉ ସର୍କିଟ ହାଉସ କିମ୍ବା ଆଇବିରେ ଭୋଜନ କରିପାରିବେ ନାହିଁ । କୌଣସି ଆହାର କେନ୍ଦ୍ର ନଚେତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ସରକାରୀ ଅଧିକାରୀ । ଖାଲି ସେତିକି ନୁହେଁ ପ୍ରତି ମାସର ପ୍ରଥମ ସପ୍ତାହରେ ଅନ୍ତତଃ 4 ଦିନ ଗୋଟିଏ ଜିଲ୍ଲାରେ କଟାଇବେ ସଚିବ ମାନେ । ସେହିଭଳି ଜିଲ୍ଲାର ଦୁଇଟି ବ୍ଲକରେ ରାତ୍ରି ଯାପନ କରି ଲୋକଙ୍କ ସମସ୍ୟା ବୁଝିବା ସହ ତାହାର ନିରାକରଣ ପାଇଁ ସମାଧାନର ବାଟ ଖୋଜିବେ ।

ତେବେ ଏଭଳି ନିଷ୍ପତି ନୂଆ ନୁହେଁ ପୂର୍ବରୁ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ  ଅକ୍ଟୋବର 15 ତାରିଖ 2015 ମସିହାରେ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ସଚିବ ମାନଙ୍କୁ 4 ଦିନ ଜିଲ୍ଲା ଗସ୍ତରେ ଯିବା ଲାଗି ନିର୍ଦେଶ ଦେଇଥିଲେ  । ମାତ୍ର ପରବର୍ତି ସମୟରେ ହାତ ଗଣତି କେତେ ଜଣ ସଚିବଙ୍କୁ ଛାଡି ଦେଲେ ଅନେକ ସଚିବମାନେ ଗାଁ ଗହଳିକୁ ଗସ୍ତ କରିବା ତ ଦୂରର କଥା ଜିଲ୍ଲା ଗସ୍ତରେ ଯିବାର ନଜିର ମଧ୍ୟ ନଥିଲା । ଏପରି ପରିସ୍ଥିତିରେ ବର୍ତ୍ତମାନ ଉନ୍ନୟନ କମିଶନରଙ୍କ ନିର୍ଦେଶକୁ ସଚିବମାନେ କେତେ ପାଳନ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ  ।

ମନ୍ତ୍ରୀ ଓ ସଚିବମାନ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ପ୍ରସଙ୍ଗକୁ ସରକାର କାହିଁକି ହଠାତ୍ ଏତେ ଗୁରୁତ୍ବ ଦେଉଛନ୍ତି  । ପ୍ରକୃତରେ ସରକାରୀ ଗସ୍ତ ଆଳରେ ଦଳୀୟ ସଙ୍ଗଠନକୁ ମଜଭୁତ ଓ ସଜାଡିବାରେ ଲାଗିନାହନ୍ତି ତ ମୁଖ୍ୟମନ୍ତ୍ରୀ  । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ଦେଖିବା ଭଳି ବିଜେଡି ନେତାଙ୍କ ଗାଡିରେ ପାଣ୍ଡିଆନଙ୍କ ସରକାରୀ ଭ୍ରମଣ ହିଁ  ଏହି ପ୍ରଶ୍ନକୁ ସତ ପ୍ରମାଣିତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top