ନ୍ୟୁଜ୍

ପୋଲିସ-ସ୍ୱାସ୍ଥ୍ୟ ବିଭାଗରେ ପଡ଼ିନି ଫରକ୍‌, ଏବେ କୃଷି ବିଭାଗ ପାଳି ! କାଳିଆ ଗୁମର ଖୋଲିବ କି 5T ?

5T pandian

ଅର୍ଗସ ବ୍ୟୁରୋ: ମୋ ସରକାରରେ ଯୋଡ଼ି ହେଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ସିଧା ସଳଖ ସାଧାରଣ ଲୋକ ବା ଗରିବ ଚାଷୀଙ୍କ ସହ ସମ୍ପର୍କ ରଖୁଥିବା କୃଷି ବିଭାଗରେ ଲାଗୁ ହେଲା ମୋ ସରକାର । କୁଷି ବିଭାଗକୁ ଆସୁଥିବା ପ୍ରତିଟି ଚାଷୀଙ୍କୁ ଭଲ ବ୍ୟବହାର କରାଯିବା ସହ ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଚାଷୀଙ୍କୁ କଲ କରାଯାଇ ବିଭାଗର ଅଧିକାରୀମାନଙ୍କ ବ୍ୟବହାର ସଂପର୍କରେ ଫିଡ୍‌ବ୍ୟାକ୍ ନିଆଯିବ । ଏହାସହ କୁଷି ବିଭାଗରେ 5T କାର୍ଯ୍ୟକ୍ରମ ପାଇଁ ୨୦ଟି ବିଭିନ୍ନ ପଦକ୍ଷେପ ନିଆଯାଇଛି । କିପରି ଚାଷୀଙ୍କ ଆୟ ଦୁଇ ଗୁଣିତ ହେବ, ଚାଷ ପାଇଁ ପୋଖରୀ ଖନନ କେମିତି କରାଯିବ । ଏ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଛି ।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା କୃଷି ବିଭାଗର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ଯୋଜନା କାଳିଆ ଘୋଟାଲାର ଗୁମର ଖୋଲିବ କି 5T ? କାଳିଆ ଯୋଜନାରେ ସରକାରୀ ଅଧିକାରୀ, ନେତା ମନ୍ତ୍ରୀଙ୍କ ପରିବାର ଲୋକ ଏମିତିକି ବଡ଼ ବଡ଼ ପଇସା ବାଲା ଲୋକ ମଧ୍ୟ ସାମିଲ ହୋଇଥିବା ପ୍ରମାଣ ରହିଛି । ଖାଲି ସେତିକି ନୁହେଁ ଜଣକ ନାଁରେ ଏକାଧିକ ଥର କାଳିଆ ଟଙ୍କା ଦିଆଯାଇଥିବା ମଧ୍ୟ ଜଣାପଡ଼ିଥିଲା । ଅନ୍ୟପଟେ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ନିଜେ ସ୍ୱିକାର ମଧ୍ୟ କରିଥିଲେ । ପରେ ଅଯୋଗ୍ୟଙ୍କଠାରୁ ଟଙ୍କା ଫେରସ୍ତ ମଧ୍ୟ ମଗାଯାଇଥିଲା । ଏବେ ସୁଦ୍ଧା ସରକାର କାଳିଆର ସ୍ପଷ୍ଟ ଚିତ୍ର ମଧ୍ୟ ସାମ୍ନାକୁ ଆଣି ନାହାନ୍ତି । ତେବେ 5T ଲାଗୁ ପରେ ଏହି ସବୁ ଗୁମରର ପର୍ଦ୍ଦାଫାସ୍‌ ହେବ କି ?

ଅନ୍ୟପଟେ ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ବିଭିନ୍ନ ବିଭାଗରେ ମୋ ସରକାର ବା 5T ଲାଗୁ ହୋଇଥିଲେ ମଧ୍ୟ ବିଭାଗରେ କୌଣସି ପ୍ରକାର ଉନ୍ନତି ପରିଲିଖିତ ହୋଇ ନାହିଁ । ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ନିଜେ ପୋଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ହେଲେ ଆଜି ଯାଏ ଏହି ବିଭାଗାରେ କୌଣସି ପ୍ରକାର ଉନ୍ନତି ପରିଲିଖିତ ହୋଇ ନାହିଁ । ତେବେ କୃଷି ବିଭାଗରେ ଲାଗୁ ହେବା ପରେ ଚାଷୀଙ୍କ କ’ଣ ଲାଭ ହେବ ତାହା ସ୍ପଷ୍ଟ ଅନୁମେୟ ।

ଏବେ ବି ପୋଲିସର ବ୍ୟବହାରରେ ପରିବର୍ତ୍ତନ ଆସି ନାହିଁ । ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯାଜପୁର ବିଞ୍ଜାପୁର ପୋଲିସ ଷ୍ଟେସନ୍‌ରେ ମହିଳାଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର ଘଟଣାଠାରୁ ଆରମ୍ଭ କରି ଭୁବନେଶ୍ୱର କ୍ୟାପିଟାଲ ଥାନା ଏସ୍‌ଆଇଙ୍କ ଦାଦାଗିରି ପର୍ଯ୍ୟନ୍ତ । ଏମିତିକି କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ଅଭିଯୋଗକାରୀ ମହିଳାଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ହେଲେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ବହୁ ଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ପୋଲିସ  ଅନେକ ହଇରାଣ କରିଥିବା ଜଣାପଡ଼ିଛି । ଏମିତିକି ସ୍ମିତାରାଣୀଙ୍କ ପରିବାର ଲୋକ ପୋଲିସ ଡିଜିଙ୍କୁ ଭେଟିବାକୁ ଆସି ନିରାଶ ହୋଇଛନ୍ତି ।

ସେହିଭଳି ରାଜ୍ୟରେ ସ୍ୱାସ୍ଥ୍ୟସେବା କଥା ନକହିଲେ ଭଲ । ଏବେ ବି ରାଜ୍ୟରେ ଅନେକ ହସ୍ପିଟାଲରେ କର୍ମଚାରୀମାନେ ରୋଗୀଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି । ଡାକ୍ତର ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ 5T ସଚିବ ପାଣ୍ଡିଆନ୍‌ ହସ୍ପିଟାଲରୁ ହସ୍ପିଟାଲ ବୁଲୁଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଆସି ନାହିଁ । ଅନ୍ୟପଟେ ସଚିବଙ୍କ ଗସ୍ତ ସମୟରେ ଜଣେ ରୋଗୀଙ୍କ ସମ୍ପର୍କୀୟ ମେଡିକାଲରେ ଭୋଗୁଥିବା ସମସ୍ୟା ସମ୍ପର୍କରେ ସିଧା ସଳଖ କହିଥିଲେ ମଧ୍ୟ ସଚିବ ତାଙ୍କ କଥାକୁ ସେତେଟା ଗୁରୁତ୍ୱ ଦେଇନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top