ନ୍ୟୁଜ୍

୧୫ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ରାସ୍ତା, ଗୋଟିଏ ଦିନ ପରେ ଉଠିଗଲା ପିଚୁ

PC_gfx_00000_00000

ନୟାଗଡ଼: ରାଜ୍ୟରେ ଗମନାଗମନ କ୍ଷେତ୍ରରେ ଉନ୍ନତ୍ତି ପାଇଁ କେନ୍ଦ୍ର ସମେତ ରାଜ୍ୟ ସରକାର ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁସାରେ ରାଜ୍ୟରେ ପିସି ପାଇଁ ସବୁ ପେଶି ହୋଇଯାଉଛି । ସେମିତି ଏକ ପିସି ଦିଆ କାର୍ଯ୍ୟର ନଗ୍ନ ଚିତ୍ର ଆମ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ରାତି ଅଧିଆ ରାସ୍ତା ନିର୍ମାଣ ହେଉଛି ଏବଂ ଗୋଟିଏ ଦିନ ପରେ ରାସ୍ତାରୁ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗାଁ କୁ ପିଚୁ ରାସ୍ତା କରିବା ପାଇଁ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କିଭଳି ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ଚଳୁ ହେଉଛି ତାହା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ହେଉଥିବା ରାସ୍ତା କାମକୁ ଦେଖିଲେ ବୁଝିହେବ  । ଏହି ରାସ୍ତାରେ ସାମାନ୍ୟ ହାତ ଲଗାଇଲେ ପରସ୍ତ ପରସ୍ତ ହୋଇ ଛାଡି ହୋଇଯାଉଛି ପିଚୁ ।  ପତଳା ମେଣ୍ଟାଲ ଉପରେ ନାମକୁ ମାତ୍ର ଢ଼ଳେଇ ହୋଇଛି ପିଚୁ । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ନିରାଶ ହେବାପରେ ଏହାକୁ ପ୍ରତିବାଦ କରି ଏହି ପିଚୁ ରାସ୍ତା ସବୁକୁ ନିଜେ ନିଜେ ତାଡି ଦେଉଛନ୍ତି  ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା  ଜରିଆରେ ମୋଟ ୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ  ନୟାଗଡ଼ ଜିଲ୍ଲାର ସଂପଡା, କଣବାଙ୍କ ଓ ମିନିଗାଡ଼ିଆ ଠାରେ ଏକା ସାଙ୍ଗରେ ନିର୍ମାଣ ହେଉଥିବା ରାସ୍ତା କାମରେ ଏଭଳି ଦୁର୍ନୀତି ହୋଇଛି । ରାସ୍ତା ତିଆରି ପରଦିନ ପିଚୁ ଉଠିଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ, ବିଭାଗୀୟ ଏସଡିଓ ଓ ଯନ୍ତ୍ରୀଙ୍କ ବିନା ଉପସ୍ଥିତିରେ ରାତି ଅଧରେ ରାସ୍ତା କାମ ହେଉଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଉଛି  । ତେବେ ଏସବୁ ଦେଖି ସୁଦ୍ଧା  ବିଭାଗୀୟ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିରବ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top