ନ୍ୟୁଜ୍

୧୦ ସ୍ପିଡ୍‌ରେ ଆସୁଛି ବୁଲ୍‌ବୁଲ୍‌, ପାରାଦୀପଠୁ ୩୯୦ କିଲୋମିଟର ଦୂରରେ ରହିଛି

bulbul

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ବୁଲ୍‌ବୁଲ୍‌ ଆତଙ୍କ । ଭୟରେ ଉପକୂଳବାସୀ । ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବୁଲ୍‌ବୁଲ୍‌ ଏବେ ଜଗତସିଂହପୁର ଜିଲ୍ଲା ପାରଦୀପ ଉପକୂଳଠାରୁ 390 କିଲୋମିଟର ଦୂରରେ ଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି 10 କିଲୋମିଟର ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏବେ ବୁଲ୍‌ବୁଲ୍‌ର ଗତି ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଆଡ଼କୁ ରହିଛି । କିନ୍ତୁ ବୁଲ୍‌ବୁଲ୍‌ର ଆଂଶିକ ପ୍ରଭାବ ରହିବ ଉପକୂଳବର୍ତ୍ତି ଅଞ୍ଚଳରେ । ଫଳରେ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଅପରାହ୍ନଠାରୁ ବର୍ଷାର ମାତ୍ର ବଢ଼ିବା ସହିତ 45ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଆଜି ସକାଳୁ ଉପକୂଳବର୍ତ୍ତି ଅଞ୍ଚଳ ଜଗତସିଂହପୁର ଜିଲ୍ଲା ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି ।

ଓଡ଼ିଶା ଉପରେ ଏହାର ପ୍ରଭାବ ନଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ ଗତି କରିବା ସମୟରେ ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିବ । ଆସନ୍ତା 10 ତାରିଖ ବେଳକୁ ବତ୍ୟାର ପ୍ରଭାବ ନଥିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜିଠାରୁ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ 9 ତାରିଖ ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ ଓ ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରାଯିବା ସହ ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ତେବେ ବାତ୍ୟାରେ କଚ୍ଚାଘର, ବିଦ୍ୟୁତ୍‌ ଖୁଣ୍ଟ, ଗଛ ଓ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସଜାଗ ରଖା ଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ବୁଲବୁଲ, 12 ଘଣ୍ଟା ମଧ୍ୟରେ ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । 9 ତାରିଖରେ ଉତ୍ତର ଉପକୂଳ ଓଡିଶାରେ 60 ରୁ70 କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ପାରାଦୀପ ସମେତ ଅନ୍ୟାନ୍ୟ ବନ୍ଦରରେ 2 ନମ୍ବର ବିପଦ ସଂକେତ ଦିଆଯାଇଛି । 8 ରୁ 12 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top