X
Breaking News
ନ୍ୟୁଜ୍

ଆହୁରି ବଢିବ ତାତି, ମୌସୁମୀ ବାଟ ଓଗାଳିଛି ସାମୁଦ୍ରିକ ଝଡ଼ ‘ବାୟୁ’

WEATHER

ଭୁବନେଶ୍ୱର: ତତଲା ତାୱାରେ ଭାଜି ହେଉଛି ଅଧା ଓଡ଼ିଶା । ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ଫେରିଲା ଝାଞ୍ଜି । ପଶ୍ଚିମ ଓ ଆଭ୍ୟାନ୍ତରୀଣ ଓଡ଼ିଶାକୁ ଆହୁରି ତିନିଦିନ ତତାଇବ । ଗତକାଲି ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ର ୪୪ ଡିଗ୍ରୀ ଉପରେ ରହିଥିବା ବେଳେ 11ଟି ସହରର ତାପମାତ୍ର 40 ଡିଗ୍ରୀ ଉପରେ ରହିଥିଲା । ରଜ ପୂର୍ବରୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ନାହିଁ ବୋଲି ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ ।

ତେବେ ପାଖାପାଖି ଜୁନ୍‌ ୧୩ ପର୍ଯ୍ୟନ୍ତ ତତଲା ତାଓ୍ୱାରେ ଓଡିଶା ଭାଜିହେବ ବୋଲି କହିଛି ପାଣିପାଗ ବିଭାଗ । ଆଗାମୀ ତିନି ଦିନରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ସାଧାରଣ ତାପମାତ୍ରାଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ର ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ ।

ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାରେ ହିଟ୍‌ ୱେଭ୍‌ କଣ୍ଡିସନ୍‌ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର ଓ କଳାହାଣ୍ଡି ପାଇଁ ହିଟ୍‌ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରିହଥିବା ମଧ୍ୟ ପାଣିପାଗ କେନ୍ଦ୍ର ଅନୁମାନ କରିଛି ।

ଲୋକମାନେ ତାତିରୁ ରକ୍ଷା ପାଇବା ପାଇଁ ଛତା, ଟୋପି, କଳା ଚଷମା ପିନ୍ଧି ବାହାରକୁ ବାହାରିବା ପାଇଁ କୁହାଯାଇଛି । ଲୋକଙ୍କ ପାଇଁ ସବୁଠାରୁ  ବଡ଼କଷ୍ଟ ହେଲା ଗରମ ଓ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ । ଅନ୍ୟପଟେ ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଯାଇଛି ।

ସେପଟେ ମୌସୁମୀ ଆଗମନରେ ପ୍ରତିବନ୍ଧକ ସାଜିଛି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ବାୟୁ  । ବାୟୁର ପ୍ରଭାବ ଓଡିଶା ପ୍ରତି ନଥିଲେ ମଧ୍ୟ ମୌସୁମୀ ଆଗମନକୁ ଏହା ପ୍ରତିହତ କରିଛି  । ଫଳରେ ମୌସୁମୀ ରଜ ପୂର୍ବରୁ ଓଡିଶା ଛୁଇଁବା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top