ନ୍ୟୁଜ୍

ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଲାଣି ବୁଲ୍‌ବୁଲ୍‌, ବାତ୍ୟା ବେଳେ ଘରୁ ନବାହାରିବାକୁ ପରାମର୍ଶ

bulbul

ଭୁବନେଶ୍ୱର: ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଲାଣି ବୁଲ୍‌ବୁଲ୍‌ । ଭୟରେ ଉପକୂଳବାସୀ । ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଅପରାହ୍ନରୁ ପବନର ବେଗ ବଢ଼ିବ ବୋଲି କହିଛନ୍ତି ଏସ୍‌ଆର୍‌ସି । ଆଜି 65 କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବା ସହିତ ଆସନ୍ତାକାଲି 70 ରୁ 90 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ପବନ ବହିବା ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷିବା ସହ ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି । ଆଜି ପୁରୀ ଓ ଗଞ୍ଜାମରେ 40ରୁ 60 କିଲୋମିଟର ବେଗରେ ପବନ ବହିବ ।  ତେବେ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯିବ । ଏନେଇ ସ୍ଥାନୀୟ ଜିଲ୍ଲାପାଳ ନିଷ୍ପତ୍ତି ନେବେ । 9ଟି ଜିଲ୍ଲାକୁ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍‌ରାଫ୍‌ ଟିମ୍‌ ପଠାଯାଇଛି । ଏବେ ପାରାଦୀପଠାରୁ 350 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ପ୍ରାୟ 134 କିଲୋମିଟର ଦୂରରୁ ବୁଲ୍‌ବୁଲ୍‌ ଓଡ଼ିଶା ଅତିକ୍ରମ କରି ବାଂଲାଦେଶ ଓ ପଶ୍ଚିମବଙ୍ଗରେ ଆଡ଼େ ଯିବ ବୋଲି ସୂଚନା ମିଳିଛି । ସେହିଭଳି ଓଡ଼ିଶାର ସୁନ୍ଦରବନରେ ବୁଲ୍‌ବୁଲ୍‌ର ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି । ତେବେ ଆଜି ସକାଳୁ ଉପକୂଳବର୍ତ୍ତୀ ଅଞ୍ଚଳ ଜଗତସିଂହପୁର ଜିଲ୍ଲା ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି ।

ଓଡ଼ିଶା ଉପରେ ଏହାର ପ୍ରଭାବ ନଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ ଗତି କରିବା ସମୟରେ ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିବ । ଆସନ୍ତା 10 ତାରିଖ ବେଳକୁ ବତ୍ୟାର ପ୍ରଭାବ ନଥିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରାଯିବା ସହ ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ତେବେ ବାତ୍ୟାରେ କଚ୍ଚାଘର, ବିଦ୍ୟୁତ୍‌ ଖୁଣ୍ଟ, ଗଛ ଓ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଏନଡିଆରଏଫ୍‌ ଓ ଓଡ୍ରାଫ ଟିମକୁ ସଜାଗ ରଖା ଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ବତ୍ୟା ଯୋଗୁଁ କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ଆଜି 8ଟି ଜିଲ୍ଲା ସ୍କୁଲ ଛୁଟି ରହିଥିବା ବେଳେ ଆସନ୍ତାକାଲି 9ଟି ଜିଲ୍ଲାରେ ସ୍କୁଲ ଛୁଟି ରହିବ ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ବୁଲବୁଲ, 12 ଘଣ୍ଟା ମଧ୍ୟରେ ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ପାରାଦୀପ ସମେତ ଅନ୍ୟାନ୍ୟ ବନ୍ଦରରେ 2 ନମ୍ବର ବିପଦ ସଂକେତ ଦିଆଯାଇଛି । 8 ରୁ 12 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top