ନ୍ୟୁଜ୍

ନାଗରିକତ୍ୱ ବିଲ ପାସ୍‌, ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ମଧ୍ୟରେ କୋକୁଆ ଭୟ !

Amit saha ANUPRABESHKARI

ଭୁବନେଶ୍ୱର: ନାଗରିକତ୍ୱ ବିଲ୍‌ ପରେ ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିିଳିଛି । ଓଡ଼ିଶାର ଉପକୂଳ ଜିଲ୍ଲା ବିଶେଷକରି କେନ୍ଦ୍ରାପଡା, ବାଲେଶ୍ବର, ଜଗତସିଂହପୁର, ଭଦ୍ରକ ପରି ସମୁଦ୍ରକୁଳିଆ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଛି । ଯାହାକି ରାଜ୍ୟ ପାଇଁ ସୃଷ୍ଟି କରିଛି ବଡ଼ ବିପଦ । ତେବେ ନାଗରିକତ୍ୱ ବିଲ୍‌ ପାସ୍‌ ପରେ ଅଣ ମୁସଲମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ । କିନ୍ତୁ ଅନ୍ୟମାନଙ୍କ ତଡ଼ିପାର୍‌ କରାଯିବ ବୋଲି କୁହାଯାଉଛି ।

ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନକଲି ନୋଟ କାରବାରଠାରୁ ଆରମ୍ଭ କରି ଡ୍ରଗ୍ସ କାରବାର, ଲୁଟ୍‌, ରାହାଜାନୀ, ଗୋଚାଲାଣ ପରି ଅପରାଧିକ କାର୍ଯ୍ୟକଳାପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଛି । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସମ୍ବେଦନଶୀଳ ରାଜକନିକା, ମହାକାଳପଡା, ଭଦ୍ରକର ଧାମରା ସଂଲଗ୍ନ, ପାରଦ୍ବୀପ, ବାଲେଶ୍ବରର ଚାନ୍ଦିପୁର ଅଞ୍ଚଳରେ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଛି । ଏପରିକି ରାଜଧାନୀରେ ଏମାନଙ୍କ ନେଟଓ୍ବାର୍କ ରହିଥିବା ମଧ୍ୟ ଜଣାପଡ଼ିଛି । କିଛି ଦିନ ତଳେ କମିସନରେଟ୍‌ ପୋଲିସ ହାତରେ ବାଂଲାଦେଶୀ ଅନୁପ୍ରବାଶକାରୀଙ୍କ ଜାଲନୋଟ ରାକେଟ୍‌ ଧରାପଡିଥିଲା । ଏହାସହ ପାସ୍‌ପୋର୍ଟ କରୁଥିବା ବେଳେ ଧରାପଡିଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ । ତେବେ ସମାନଙ୍କ ମଧ୍ୟରେ ଏବେ ଚନକା ପଶିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଏହି ବିଲ୍‌ ଉପସ୍ଥାପିତ କରିବା ସହ ସମ୍ବିଧାନ ହେଉଛି ମୋଦି ସରକାରଙ୍କ ଏକ ମାତ୍ର ଧର୍ମ ବୋଲି କହିଛନ୍ତି । ତେବେ ଦେଶରେ ବଢୁଥିବା ଅନୁପ୍ରବେଶକାରୀଙ୍କ ଉପରେ ରୋକ ଲାଗିବ । ବିଶେଷ କରି ଅଣମୁସଲମାନ ଶରଣାର୍ଥୀଙ୍କୁ ଏହି ବିଲରେ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯିବ । ପାକିସ୍ତାନ, ବାଲାଂଦେଶ ଓ ଆଫଗାନିସ୍ଥାନରୁ ଆସିଥିବା ଅଣମୁସଲମାନ ନାଗରିକଙ୍କ ପାଇଁ ଏହି ନାଗରିକତ୍ବ ବିଲ୍‌ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ କହିଛନ୍ତି । ଏହାକୁ ଓଡ଼ିଶା ସରକାର ମଧ୍ୟ ସଂସଦରେ ସମର୍ଥନ ଜଣାଇଛନ୍ତି । କାରଣ ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଦ୍ୱାରା ଅନେକ ଅପରାଧିକ  କାର୍ଯ୍ୟକଳାପ ବଢ଼ୁଥିବା ଦେଖାଯାଇଛି । ଯଦି ଏହି ବିଲ୍‌ ଦ୍ୱାରା ଅନୁପ୍ରବେଶକାରୀଙ୍କୁ ବାହାର କରାଯାଇପାରିବ ତେବେ ଓଡ଼ିଶା ଅନେକାଂଶରେ ଲାଭାନ୍ୱିତ ହେବ ବୋଲି କୁହାଯାଉଛି ।

ଯେହେତୁ ଓଡିଶାରେ ଦୀର୍ଘ 450 କିଲୋମିଟର ଉପକୂଳ ଅଂଚଳ ରହିଛି, ତେଣୁ ବାଙ୍ଗଲାଦେଶୀ ମତ୍ସ୍ୟଜୀବୀଙ୍କ ନୌକାରେ ଆତଙ୍କବାଦୀମାନେ, ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସମୁଦ୍ରପଥ ଦେଇ ଏମାନଙ୍କ ଦ୍ୱାରା ମାରଣାସ୍ତ୍ର, ଡ୍ରଗ୍ସ, ଜାଲନୋଟ ଆଦି ଆସୁଥିବା ବେଳେ ରେଡିଓ ଷ୍ଟେସନ ଚଳାଇଥିବା ମଧ୍ୟ ପ୍ରମାଣ ମିଳିଥିଲା ।

ନାଗରିକତ୍ବ ବିଲ ପରେ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ ପରେ କଡ଼ା ପଦକ୍ଷେପ ନିଆଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିଜେଡି ସମେତ ଶିବସେନା, ଓ୍ବାଇଆରଏସ୍‌ କଂଗ୍ରେସ୍‌ ବିଲ୍‌ ସପକ୍ଷରେ ଭୋଟ ଦେଇଛନ୍ତି । ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ପାଇଁ ନାରିକତ୍ୱ ବିଲ୍‌ ପ୍ରସଙ୍ଗରେ ସମର୍ଥନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top