ନ୍ୟୁଜ୍

ଆମ୍ବୁଲାନ୍ସ ଅବହେଳା ନେଲା ଜୀବନ, କରୋନା ଭୟରେ ରୋଗୀ ପାଖକୁ ଗଲେନି କେହି

ambulance

ବ୍ରହ୍ମପୁର:  ପୁଣି ପଦାରେ ପଡିଲା ସ୍ୱାସ୍ଥ୍ୟ ସେବାର ଅସଲ ଚିତ୍ର । ରୋଗୀ ଛଟପଟ ହେଉଥିଲା, ହେଲେ ମେଡିକାଲ ନେଲା ନାହିଁ ଆମ୍ବୁଲାନ୍ସ । ସେମିତି ଘର ବାରଣ୍ଡାରେ ପଡି ରହିଲା ରୋଗୀ । ଶେଷରେ ପରିବାର ଲୋକଙ୍କ ଆଗରେ ଜୀବନ ହାରିଦେଲେ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପ୍ରହଲ୍ଲାଦନଗରର ଦ୍ୱିତୀୟ ଲେନରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ମୃତକ ହେଉଛନ୍ତି ମନୋଜ କୁମାର ପ୍ରହରାଜ ।  ରୋଗୀ ବଞ୍ଚିଥିଲା ଅବସ୍ଥାରେ ବାପାଙ୍କୁ ମେଡିକାଲ ନେବା ପାଇଁ କାକୁତି ମିନତୀ କରୁଛି ତାଙ୍କ କୁନି ପୁଅ ।  ହେଲେ ଆମ୍ବୁଲାନ୍ସ କର୍ମଚାରୀ ଜଣଙ୍କ କିଛି ଶୁଣିବା ପରିବର୍ତ୍ତେ ଯୁକ୍ତିତର୍କ କରୁଛନ୍ତି ।

ଗୋଟେ ଛୋଟ ପିଲାକୁ କୋଭିଡ ଗାଇଡଲାଇନର ପାଠ ପଢାଉଛନ୍ତି ଆମ୍ବୁଲାନ୍ସର କର୍ମଚାରୀ । ଘର ବାରଣ୍ଡାରେ ପଡି ରହିଥିଲା ରୋଗୀ । ଘର ସାମ୍ନାରେ ଛିଡା ହୋଇଥିଲା ଆମ୍ବୁଲାନ୍ସ । ହେଲେ ପରିବାର ଲୋକଙ୍କ ବାରମ୍ବାର ଗୁହାରି ପରେ ବି କରୋନା ଭୟରେ ରୋଗୀ ପାଖକୁ କେହି ଗଲେ ନାହିଁ କି ମେଡିକାଲ ନେଲେ ନାହିଁ । ଶେଷରେ ଆଖି ବୁଜିଦେଲେ ରୋଗୀ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ବାରମ୍ବାର ଆମ୍ବୁଲାନ୍ସ ଅବହେଳାର ଚିତ୍ର ସାମ୍ନାକୁ ଆସୁଛି ।  କଷ୍ଟରେ ଛଟପଟ ହୋଇ ଜୀବନ ହାରୁଛନ୍ତି ନୀରିହ ଲୋକ । ଏନେଇ ଗଣମାଧ୍ୟମରେ ଅନେକ ଖବର ମଧ୍ୟ ପ୍ରସାରିତ ହେଉଛି । ତଥାପି ରାଜ୍ୟ ସରକାରଙ୍କ ଚେତା ପଶୁନି । କଣ କରୁଛି ସ୍ୱାସ୍ଥ୍ୟ ବିଭାଗ ? ବାରମ୍ବାର ଚିତ୍ର ସାମ୍ନାକୁ ଆସିବା ପରେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? କରୋନାର କେଉଁ ଗାଇଡ ଲାଇନରେ ରହିଛି, ଜଣେ ରୋଗୀ ଛଟପଟ ହେଉଥିବ, କିନ୍ତୁ ମହାମାରୀ ଭୟରେ ତାକୁ ୧୦୮ ଆମ୍ବୁଲାନ୍ସ ମେଡିକାଲ ନେବ ନାହିଁ । ଏବେ ଚିକିତ୍ସା ନପାଇ ରୋଗୀ ଜଣଙ୍କ ମୃତ୍ୟୁ ହେଲା । ଏଥିପାଇଁ ଦାୟୀ କିଏ ରହିବ ଏହାକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top