ନ୍ୟୁଜ୍

ଅନ୍‌ଲାଇନ୍ ପାଠପଢ଼ା ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ, ୩୦ ମିନିଟରୁ ଅଧିକ ସମୟ କ୍ଲାସ କରିବେନି ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ଅନ୍‌ଲାଇନ୍ ପାଠପଢ଼ା ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ । ୩୦ ମିନିଟରୁ ଅଧିକ ସମୟ କ୍ଲାସ କରି ପାରିବେନି ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ । ଏହି ନିର୍ଦ୍ଦେଶନାମା ଜାରି କଲା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଶାରୀରିକ, ମାନସିକ ଚାପ କମାଇବା ପାଇଁ ନିଆଗଲା ଏଭଳି ପଦକ୍ଷେପ । ବର୍ତ୍ତମାନର ପରିସ୍ଥିତିରେ ଅନଲାଇନ ଶିକ୍ଷା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ ବୋଲି ମତ ଦେଇଛନ୍ତି ଶିକ୍ଷାବିତ । ଅନ୍ୟପଟେ ଓଡିଶାରେ ଏବେ ବି ଅଲନାଇନ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଯାହାକୁ ନେଇ ବଢିଲାଣି ଚିନ୍ତା ।

ସାରା ଦେଶରେ ଅଭିଭାବକଙ୍କ ଚିନ୍ତା ଓ ଅଭିଯୋଗ ପରେ ଏଭଳି ପଦକ୍ଷେପ ନେଇଛି ବିଭାଗ । ନୂଆ ନିୟମ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୨ଟି ପର୍ଯ୍ୟାୟରେ ୪୫ ମିନିଟ ପର୍ଯ୍ୟନ୍ତ ପାଠ ପଢ଼ିପାରିବେ । ସେହିପରି ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀ ୩୦ ରୁ ୪୫ ମିନିଟର ୪ଟି କ୍ଲାସ କରିପାରିବେ । ମନ୍ତ୍ରାଳୟର ଏହି ନୂଆ ନିୟମକୁ ପ୍ରଗ୍ୟାତା ଗାଇଡଲାଇନ କୁହାଯାଉଛି । ଡିଜିଟାଲ କ୍ଲାସ ପାଇଁ ଏହା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା । ଖାସକରି ଡିଜିଟାଲ କ୍ଲାସ ସମୟରେ ଛାତ୍ରଛାତ୍ରୀଙ୍କର ଶାରୀରିକ ଓ ମାନସିକ ଚାପକୁ କମ କରିବାକୁ ଜୋର ଦିଆଯାଉଛି । ସେହିପରି ସାଇବର କ୍ରାଇମ ରୋକିବା ଓ ସୁରକ୍ଷାକୁ ମଧ୍ୟ ସର୍ବାଧିକ ଗୁରୁତ୍ବ ଦେବାକୁ କୁହାଯାଉଛି । ଅନ୍ୟପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ । ବର୍ତ୍ତମାନର ପରିସ୍ଥିତିରେ ଅନଲାଇନ କ୍ଲାସ ଛଡ଼ା ଆଉ କୌଣସି ବିକଳ୍ପ ନାହିଁ ।

କରୋନା ପାଇଁ ଜାରି ରହିଛି ଅନେକ କଟକଣା । ଏହାରି ଭିତରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ଦିକ୍ଷା ଆପ, ରାଜ୍ୟ ସରକାରଙ୍କ ମଧୁ ଓ ଶିକ୍ଷା ସଂଯୋଗ ଆପ ମାଧ୍ୟମରେ ଅନଲାଇନରେ ପାଠପଢା ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟରେ ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବା ପାଇଁ ସୁଯୋଗ ପାଇଥିବା ବେଳେ ଏଥିରୁ ୩୮ ଲକ୍ଷ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି ବୋଲି ନିଜେ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ, ସ୍ମାର୍ଟ ଫୋନ, କମ୍ପ୍ୟୁଟର ଓ ଲ୍ୟାପଟପ୍ ସୁବିଧା ନଥିବା କାରଣରୁ ଅଲନାଇନ ପାଠପଢାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନରେ ପାଠପଢୁଛନ୍ତି ବୋଲି ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଉପରେ ଉଠିଛି ପ୍ରଶ୍ନ । ରାଜ୍ୟରେ ୫ଟି ରେ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦେଉଥିବା ସରକାର କାହିଁକି ସମସ୍ତଙ୍କ ପାଖରେ ଇଣ୍ଟରନେଟର ସୁବିଧା ଉପଲବ୍ଧ କରି ପାରୁନାହାଁନ୍ତି ବୋଲି ଉଠିଲାଣି ପ୍ରଶ୍ନ ? ସମସ୍ତଙ୍କ ପାଖେ ଅନଲାଇନ ସୁବିଧା ଖୁବଶୀଘ୍ର ପହଞ୍ଚେଇ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top