ଭୁବନେଶ୍ୱର: 2018 ହକି ବିଶ୍ବକପ ସମୟରେ ପର୍ଯ୍ୟଟକ ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଥିଲା ଏହି ମୁକ୍ତାକାଶ ସଂଗ୍ରାହଳୟ । ଏହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଗୋଟିଏ ବର୍ଷ ଭିତରେ ଏହି ସଂଗ୍ରହାଳୟର ଚିତ୍ର ବଦଳିଯାଇଛି । ରକ୍ଷଣାବେକ୍ଷଣା ପରିବର୍ତ୍ତେ ଏହାର ଦୁଇଟି ଯାକ ଫାଟକରେ ପଡିରହିଛି ତାଲା । ଦେଶବିଦେଶର ବିଭିନ୍ନ କଳାକାରଙ୍କୁ ନେଇ କରାଯାଇଥିବା ସୂକ୍ଷ୍ମାତିସୂକ୍ଷ୍ମ କଳାକୃତି ଏବେ ଭାଙ୍ଗିରୁଜି ତାର ନିଜସ୍ବ ହରାଇଛି ।
ଯାହା ଦିନେ ସାଧାରଣ ଲୋକଙ୍କର ଦୃଷ୍ଟି ଆର୍କଷଣ କରୁଥିଲା ତାହା ଉପରେ ଏବେ ଲୋକଙ୍କର ନଜର ପଡୁନାହିଁ । ସେଠାରେ ଏବେ ସରିସୃପ ବାସ କରିବା ଆରମ୍ଭ କଲେଣି । ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଲୁହା ପାତିଆ ,ସାଇକେଲ ରିମ୍, ଟାୟାର ବର୍ଜ୍ୟବସ୍ତୁର ମୟୂର, ବାଘ, ସାଇକେଲ ପାଇପରୁ ହାତୀ, ଭଙ୍ଗା ଲୁହା କଡେଇରୁ ଅଲିଭ ରିଡଲେ, ବୋତଲରୁ ମାଛ, ହାତୀ, ଉଡନ୍ତା ଛଚାଂଣ ଇତ୍ୟାଦି ସେତେବେଳେ ଦେଖଣାହାରୀଙ୍କ ମନମୋହୁଥିଲା । ପ୍ରଥମ ଥର ପାଇଁ ଓଡିଶାରେ କଠିନ ବର୍ଜ୍ୟବସ୍ତୁକୁ ନେଇ କରାଯାଇଥିଲା ଏହି ସଂଗ୍ରହାଳୟ । ଏହାକୁ ଦେଖିବା ପାଇଁ ମଧ୍ୟ ଲୋକଙ୍କର ବେଶ୍ ଭିଡ ଜମୁଥିଲା । କିନ୍ତୁ ତାହା ଏବେ ମଳିନ ପଡିଛି ।
ବାତ୍ୟା ଫୋନିପରେ ଏହାର ସୁରକ୍ଷା କି ରକ୍ଷଣାବେକ୍ଷଣା କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଖରା, ବର୍ଷା, ଶୀତ, କାକରରେ ଏହାର ଅବସ୍ଥା ଏବେ ଜରାଜୀର୍ଣ୍ଣ ହୋଇପଡିଛି । ସେଠାରେ ଗଦାଗଦା ଅଳିଆ ପଡିରହୁଥିବାରୁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଯଦି ଏହି ସଂଗ୍ରହାଳୟର ସଠିକ ରକ୍ଷଣାବେକ୍ଷଣ କରାଯିବ ତେବେ ଏଠାକୁ ପୁଣି ଦେଖଣାହାରୀଙ୍କ ସୁଅ ଛୁଟିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଶ୍ରୀହିନ ହୋଇପଡିଛି ମୁକ୍ତାକାଶ ସଂଗ୍ରହାଳୟ । ଏହା ଉପରେ ନଜର ପଡୁନି ବିଡିଏ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାରଙ୍କର । ଫଳରେ ବର୍ଜ୍ୟବସ୍ତୁ ଏବେ ପୁଣି ବର୍ଜ୍ୟବସ୍ତୁ ପାଲଟି ଯାଇଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଏହି କଠିନ ବର୍ଜ୍ୟବସ୍ତୁରେ ତିଆରି ସଂଗ୍ରହାଳୟର ସୁରକ୍ଷା ଏବେ ଜରୁରୀ ହୋଇପଡିଛି ।
