ନ୍ୟୁଜ୍

ମାଓ ଭୟରେ ହୋଇପାରୁନି ବିକାଶମୂଳକ କାର୍ଯ୍ୟ, ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଓବାଦୀ ଭୟ । ଆଉ ମାଓବାଦୀଙ୍କ ଡରରେ ବିକାଶ ମୂଳକ କାମ କରିପାରୁନାହାନ୍ତି ସରକାର । ଆଉ ଯେଉଁଥିପାଇଁ କେବିକେ ଜିଲ୍ଲାପାଇଁ ବ୍ୟୟବରାଦ ହେଉଥିବା ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ ବୋଲି ସ୍ୱୀକାର କରିଛନ୍ତି ଖୋଦ୍ ମନ୍ତ୍ରୀ ପଦ୍ମନାଭ ବେହେରା । ଆଉ କହୁକହୁ ରାଜ୍ୟ ସରକାରଙ୍କ ଗୁମର ଖୋଲିଦେଇଛନ୍ତି ମନ୍ତ୍ରୀ । ମାଓ ମୁକାବିଲା କରିବାରେ ବାହାସ୍ଫୋଟ ମାରୁଥିବା ରାଜ୍ୟ ସରକାର ବାସ୍ତବରେ ଯେ, ମାଓବାଦୀ ମାନଙ୍କ ଭୟରେ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ଏହାର ଗୁମର ଖୋଲିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେଭିୱେଟ୍ ପଦ୍ମନାଭ ବେହେରା  ।

ସେପଟେ ସିଏଜି ରିପୋର୍ଟରେ ସ୍ପଷ୍ଟ ଅଛି ଯେ, କେବିକେ ଅଂଚଳରେ ଖର୍ଚ୍ଚ ହୋଇପାରୁ ନାହିଁ କୋଟିକୋଟ ଟଙ୍କା  । କେବିକେ ଜିଲ୍ଲାଗୁଡିକର ଉନ୍ନତି ପାଇଁ ଆସୁଥିବା କୋଟି କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାଁନ୍ତି  । ଫଳରେ ଆଜିକା ଦିନରେ ପ୍ରାୟ 100 କୋଟି ଟଙ୍କାର କାମ ନ ହୋଇ ପଡିରହିଛି  । କେବିକେ ଅଂଚଳକୁ ନେଇ କାଠଗଡାରେ ରାଜ୍ୟ ସରକାରଙ୍କୁ ଠିଆ କରାଇଛନ୍ତି ସିଏଜି  । ସିଏଜି ରିପୋର୍ଟ ଅନୁଯାୟୀ କେବିକେ ଜିଲ୍ଲା ଗୁଡିକରେ 30 ଟି ରାସ୍ତାର ନିର୍ମାଣ ପାଇଁ  2017-18 ଆର୍ଥିକ ବର୍ଷରେ 124.93 କୋଟି ଟଙ୍କାର ପ୍ରଦାନ କରାଯାଇଥିଲା  । ହେଲେ 2018 ମାର୍ଚ୍ଚ ଶେଷ ସୁଦ୍ଧା  ମୋଟ 25.20 କୋଟି ଟଙ୍କା ବ୍ୟୟ କରାଯାଇଛି  । ଅବଶିଷ୍ଟ ପ୍ରାୟ 100 କୋଟି ଟଙ୍କା ଏବେ ସୁଦ୍ଧା କାମ ନହୋଇ ପଡିଛି  । ଏପରି ସ୍ଥଳେ ଅଜବ ଉତ୍ତର  ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେପଟେ ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିକାଶ ପହଂଚି ନଥିବା ଅଂଚଳରେ ଟଙ୍କା ଖର୍ଚ୍ଚ ହୋଇ ନ ପାରିବା ସରକାରଙ୍କ ଅପାରଗତାକୁ ଦର୍ଶାଉଥିବା ବେଳେ ଏଥିପାଇଁ ଦାୟୀ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେହିପରି 10 ପ୍ରତିଶତ ଖର୍ଚ୍ଚ କରିଥିଲେ ବୋଧେ ସରକାର ଆଉ ଦୁଇ ଥର ନିର୍ବାଚିତ ହେବେ ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହି ଜିଲ୍ଲାଗୁଡିକ ଏବେବି ବିକାଶ ଧାରାରେ ସାମିଲ ହୋଇ ପାରୁନଥିବା ବେଳେ ଏଠାକାର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ପାଣ୍ଠି ବିନିଯୋଗ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର  । ରାଜ୍ୟରୁ ଦିନକୁ ଦିନ ମାଓ ହ୍ରାସ ପାଉଥିବା କଥା ସରକାର କହିବୁଲୁଥିବା ବେଳେ ମାଓବାଦୀଙ୍କ ପାଇଁ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ହେଉଛି ବୋଲି କହିଛନ୍ତି ବରିଷ୍ଠ ମନ୍ତ୍ରୀ । ତେବେ ରାଜ୍ୟ ସରକାରଙ୍କର କେଉଁକଥା ସତ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଅପରପକ୍ଷେ କେବିକେ ଜିଲ୍ଲାର ଉନ୍ନତି ପାଇଁ କେନ୍ଦ୍ର ସରକାର ଶହ ଶହ କୋଟି ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ତାହା ଖର୍ଚ୍ଚ କରି ନପାରିବା ତାଙ୍କ ପାରିବା ପଣିଆକୁ ପଦାରେ ପକାଇ ଦେଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top