ନ୍ୟୁଜ୍

“61 ସାମ୍ପୁଲରୁ 60 ନେଗେଟିଭ୍, କୋରୋନା ମୁକାବିଲା କରୁଛି ଓଡ଼ିଶା”- ସୁବ୍ରତ ବାଗଚୀ

ଭୁବନେଶ୍ଵର : କୋରୋନା ମୁକାବିଲା କରୁଛି ଓଡ଼ିଶା । ସମ୍ପୂର୍ଣ୍ଣ ବିଶ୍ୱରେ କରୋନା ଏବେ ୧୭୬ ଦେଶକୁ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକସ୍ଥଳ ଗୁଡିକରେ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଲଗିଛି । ତେବେ ଏହି ଧର୍ମାନୁଷ୍ଠାନ ଗୁଡିକରେ ପୂର୍ବଭଳି ନୀତିକାନ୍ତି ଜାରି ରହିବ। ସେପଟେ କରୋନା ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରେ ଲାଗିଛି। କରୋନା ଆକ୍ରାନ୍ତ ସନ୍ଦେହରେ 61 ଟି ସାମ୍ପୁଲ ପରୀକ୍ଷା ହୋଇଥିବା ବେଳେ 60ଟି ନେଗେଟିଭ୍ ଆସିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କୋରୋନା ଅପଡେଟ ଉପରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଏନେଇ ସୂଚନା ଦେଇଛନ୍ତି।

ଏଥିସହିତ ଆସନ୍ତାକାଲିଠୁ ମନ୍ଦିର, ମସଜିଦ୍‌, ଗୀର୍ଜାର ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । କୌଣସି ଧର୍ମୀୟ ସ୍ଥାନକୁ ଯାଇପାରିବେନି ଦର୍ଶନାର୍ଥୀ ଏବଂ ଶ୍ରଦ୍ଧାଳୁ। ଧର୍ମୀୟ ରୀତିନୀତି ଅନୁସାରେ କେବଳ କରାଯିବ ପୂଜା ପଦ୍ଧତି । ଏହାସହ ମାଟ୍ରିକ ଖାତାଦେଖା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ମାଟ୍ରିକ ଖାତା ଦେଖାକୁ ସ୍ଥଗିତ କରିଛନ୍ତି ରାଜ୍ୟ ସରକାର । ଏହା ସହ ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କ ଅଫିସ ଆସିବା ନେଇ ଗାଇଡ ଲାଇନ୍ ପ୍ରସ୍ତୁତ ହୋଇଛି ବୋଲି ବାଗଚୀ କହିଛନ୍ତି ।

ଗତ 24 ଘଣ୍ଟାରେ 104 କୁ 12 ହଜାରରୁ ଅଧିକ କଲ ଆସିଥିଲା । ପୋର୍ଟାଲରେ 2600ଟି ପଞ୍ଜୀକରଣ ହୋଇଛି । କୋରୋନା ମୁକାବିଲା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି । ରାଜ୍ୟର 6798ଟି ପଞ୍ଚାୟତରେ କରୋନା ସଚେତନତା ଓ ସତର୍କତା ନେଇ ବୈଠକ କରାଯାଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଗ୍ରାମାଞ୍ଚଳରେ ବ୍ୟବସ୍ଥା କରାଯାଇଛି । କାଲି 5 ନମୁନା ପରୀକ୍ଷା କରାଯାଇଛି 5ଟି ନମୁନା ନେଗେଟିଭ ଆସିଛି । 23 ଜଣ ବିଭିନ୍ନ ହସ୍ପିଟାଲରେ ନିରୀକ୍ଷଣରେ ଅଛନ୍ତି । ଏହା ବ୍ୟତୀତ ରାଜ୍ୟରେ 3183 ଟି ଆଇସୋଲେସନ ଶଯ୍ୟା ପ୍ରସ୍ତୁତ ରହିଥିବା ନେଇ ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।

ସେ ପୁଣି କହିଛନ୍ତି ଯେ, ସାମାଜିକ ସଶକ୍ତୀକରଣ ବିଭାଗ ପକ୍ଷରୁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ 4 ମାସର ଆଗୁଆ ଭତ୍ତା ପ୍ରଦାନ କରାଯାଇଛି।  ଏହାସହ କର୍ମଚାରୀଙ୍କ ସୁରକ୍ଷା ଦିଗରେ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।  କୌଣସି ସରକାରୀ କର୍ମଚାରୀଙ୍କୁ ଯଦି ଜ୍ୱର, କାଶ ହୁଏ ସେମାନେ 14 ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟବାସୀଙ୍କ  ପୋଖରୀରେ ଗାଧୋଇବା ଉପରେ କଟକଣା ଲଗାଯାଇଛି ।  କୁକୁଡା, ଅଣ୍ଡା ଖାଇବା ପ୍ରସଙ୍ଗକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି।  ଚିକେନ, ଅଣ୍ଡା ଖାଇବା ଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାର ଭୟ ନାହିଁ । ଗୃହ ପାଳିତ ପଶୁଙ୍କୁ ବାହାରକୁ ନ ଛାଡ଼ିବାକୁ ପରାମର୍ଶ । ପଶୁପକ୍ଷୀଙ୍କ ଦ୍ୱାରା କୋରୋନା ବ୍ୟାପେ ନାହିଁ  ବୋଲି ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ ।

ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ନେଇ କ୍ରିଷନ କୁମାର କହିଛନ୍ତି ଏଯାବତ୍ 2626  ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି, 100 ରୁ ଅଧିକ ଦେଶରୁ ସମସ୍ତ 30 ଜିଲ୍ଲାକୁ ଲୋକ ଆସିଛନ୍ତି । ଓଡ଼ିଶାରେ ସମ୍ପୃକ୍ତ କରୋନା ପଜିଟିଭ ବ୍ୟକ୍ତି ଭଲ ଅଛନ୍ତି । ବୟୋଜ୍ୟାଷ୍ଠ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲଇନ ପାଳନ କରିବା ପାଇଁ କରାଯାଇଛି ଅନୁରୋଧ କରିଛନ୍ତି। କୋରାନକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ବିଶେଷ ଭାବେ ଧ୍ୟାନ ରଖିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top