ନ୍ୟୁଜ୍

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠମନ୍ତ୍ରୀ ପୁରସ୍କାର, ନିଜ ନିର୍ବାଚନ ମଣ୍ଡଳୀ ପାଲଟିଛି ଦୁର୍ନୀତିର ଗନ୍ତାଘର

PRATAP JENA

ଭୁବନେଶ୍ୱର:  ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ଶ୍ରେଷ୍ଠମନ୍ତ୍ରୀ ପୁରସ୍କାର । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ମିଳିଛି ଏହି ପୁରସ୍କାର । ସାରା ରାଜ୍ୟରେ ଆବାସ କେଳାଙ୍କାରୀ ଅଭିଯୋଗ ଆସିବା ପରେ ବଦନାମ ହୋଇପଡିଥିବା ମନ୍ତ୍ରୀଙ୍କୁ ଏହି ପୁରସ୍କାର ମଲମ ଭଳି କାମ କରିପାରେ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି  ।

ବିଭାଗ ଦୁର୍ନୀତିରେ ଉବୁଟୁବୁ । ନିଜ ନିର୍ବାଚନ ମଣ୍ଡଳୀ ପାଲଟିଛି ଦୁର୍ନୀତିର ଗନ୍ତାଘର । ଆଉ ନିଜର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର । ଏକ ପତ୍ରିକା ପକ୍ଷରୁ ପ୍ରଦାନ କରାଯାଇଥିବା ଶ୍ରେଷ୍ଠମନ୍ତ୍ରୀ ତାଲିକାରେ ଅଛନ୍ତି ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା  । ଏ ହେଉଛି ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗା । ପୂର୍ତ୍ତ ବିଭାଗର ରାସ୍ତା କେଳାଙ୍କାରୀ ପରେ ଏବେ ଆବାସ ଯୋଜନାରେ ହୋଇଛି ମହାଦୁର୍ନୀତି । ଥିଲାବାଲା ହାତେଇଛନ୍ତି ଘର । ଆଉ ନଥିଲାବାଲାଙ୍କ ଜୀବନ ବିତୁଛି ପଲଥିନ୍ ତଳେ ।

ଏପରିକି ଖୋଦ୍ ତାଙ୍କ ଦଳର ପଦପଦବୀରେ ଥିବା ନେତା ହାତେଇଛନ୍ତି ଘର ଏନେଇ ବିରୋଧୀ ଅଭିଯୋଗ କରିବା  ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ତଦନ୍ତ । କେଉଁଠି ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଘର ହାତେଇଛନ୍ତି ତ ଆଉ କେଉଁଛି ବ୍ଲକ ଉପାଧ୍ୟକ୍ଷ ଘର ନେଲେଣୀ । କେବଳ ମାହାଙ୍ଗା ନୁହେଁ  । ସାରା ରାଜ୍ୟରେ ଆବାସ କେଳେଙ୍କାରୀ । ପଞ୍ଚାୟତରାଜ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଆବାସ କେଳେଙ୍କାରୀକୁ ନେଇ ରାସ୍ତାରେ ଶୁଭୁଛି ପ୍ରତିବାଦ ।

ଏପରିକି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି ହୋଇଛି । ସେପଟେ ନିଜ ବିଭାଗ ପଛରେ ମହାଦୁର୍ନୀତିର ଅଭିଯୋଗ ଆସିଥିବା ବେଳେ ପ୍ରତାପ ଜେନାଙ୍କୁ କିନ୍ତୁ ଏକ ପତ୍ରିକା ଦେଇଛି ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର । ଯାହାକୁ ପ୍ରଚାର କରି ନିଜ ଭାବମୂର୍ତ୍ତି ସଜାଡିବା ପାଇଁ ଚେଷ୍ଟା କରୁଛନ୍ତି ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା । ଯାହା ଏବେ ରାଜ୍ୟପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ସାରା ରାଜ୍ୟରେ ଆବାସ କେଳେଙ୍କାରୀର ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା ଏବେ ଏକ ପତ୍ରିକା ପକ୍ଷରୁ ପାଇଥିବା ପୁରସ୍କାର ଧରି ବାହାବାହା ସାଉଁଟିବାରେ ଲାଗିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top