ନ୍ୟୁଜ୍

ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର, ରାସ୍ତା ନଥିବାରୁ ଖଟରେ ବୁହା ହେଲେ ପ୍ରସୂତି

khatia

ବରଗଡ଼:  ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । ରାସ୍ତା ନଥିବାରୁ ଖଟରେ ବୁହା ହେଲେ ପ୍ରସୂତି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କନ୍ଧଡ଼ିହି ଗାଁରେ ଜନନୀ ଯନ୍ତ୍ରଣା । କନ୍ଧଡ଼ିହି ଗାଁର ଗର୍ଭବତୀ ମହିଳା ରେବତୀ ପୁଟେଲଙ୍କ ଆଜି ଭୋରୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏଥିପାଇଁ ସ୍ୱାମୀ ସୁଶାନ୍ତ ପୁଟେଲ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଆମ୍ବୁଲାନ୍ସ ଆସିଥିଲେ ହେଁ ଗାଁକୁ ରାସ୍ତା ଅବସ୍ଥା ଭଲ ନଥିବାରୁ ଅଧାରେ ଅଟକି ଯାଇଥିଲା ।

କନ୍ଧଡ଼ିହିର ମୁଖ୍ୟ ରାସ୍ତାରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ୧୦୨ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । କଲଭର୍ଟଟି ତେଲିଟିକ୍ରା ପାଖରେ ନିର୍ମାଣ ହେଉଛି । କଲଭର୍ଟ ନିର୍ମାଣକାରୀ ବାଇପାଶ ରୋଡ କରିନଥିବା ଯୋଗୁଁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଯାହାଫଳରେ ଆଜି ଆମ୍ବୁଲାନ୍ସ କନ୍ଧଡିହି ଗାଁରେ ପହଞ୍ଚି ପାରିନଥିଲା । ଶେଷରେ ଗାଁ ଲୋକ ବାଧ୍ୟ ହୋଇ ପ୍ରସୂତି ମହିଳାଙ୍କୁ ଖଟରେ ବୋହି ନେଇଥିଲେ ଗ୍ରାମବାସୀ । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ କିଛି ବାଟ ମହିଳାଙ୍କୁ ଖଟିଆରେ ବୋହି ନେବା ପରେ ଅଧା ରାସ୍ତାରୁ ଆମ୍ବୁଲାନ୍ସ ଯୋଗେ ବିଜେପୁର ଡାକ୍ତର ଖାନାକୁ ଅଣାଯାଇଥିଲା ।

ଡାକ୍ତରଖାନାରେ ରେବତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ସରକାର ପ୍ରସୂତି ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୧୦୨ ସେବା ଚାଲୁ କରିଛନ୍ତି । ହେଲେ ତାହା ରୋଗୀଙ୍କ ପାଖକୁ ଠିକ ସମୟରେ ପହଂଚି ପାରୁନାହିଁ । ବାରମ୍ବାର ସ୍ୱାସ୍ଥ୍ୟ ସେବାର ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସୁଛି । ତଥାପି ଚେତା ପଶୁନି ରାଜ୍ୟ ସରକାରଙ୍କର । ଆଉ କେତେ ଜନନୀ ଯନ୍ତ୍ରଣା ଭୋଗିଲେ ଚେଇଁବ ସ୍ୱାସ୍ଥ୍ୟ ବିଭାଗ ? କାହିଁକି ସବୁ ଜାଣି ବି ନିଆଯାଉନି ଠୋସ୍ ପଦକ୍ଷେପ ? ଏସବୁକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top