ଦେଶ

କୋଭିଡ୍-19 ବୁଲେଟିନ୍ : 38.50 ଲକ୍ଷରୁ ଅଧିକ ସୁସ୍ଥ, ଅକ୍ସିଜେନର ଅଭାବ ନାହିଁ

ଅର୍ଗସ ବ୍ୟୁରୋ : ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଏବଂ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ପକ୍ଷରୁ ପ୍ରେସ୍ ବାର୍ତ୍ତା ଜାରି କରାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଦେଶରେ କରୋନା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି।

ପ୍ରେସ୍ ବାର୍ତ୍ତାରେ ରାଜେଶ ଭୂଷଣ କହିଛନ୍ତି ଯେ, ଏବେ ଦେଶରେ ଅମ୍ଳଜାନ ଉତ୍ପାଦନ 6,900 ମେଟ୍ରିକ ଟନରୁ ଅଧିକ। ଅକ୍ସିଜେନର କୌଣସି ଅଭାବ ନାହିଁ। ସେହିପରି ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେବା ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଦେଶରେ ଏଯାବତ୍ 38 ଲକ୍ଷ 50 ହଜାର ଲୋକ ସୁସ୍ଥ ହେଲେଣି। କରୋନା ଯାଂଚ୍ ହାର ବୃଦ୍ଧି କରାଯାଇଛି। ଗତ ସପ୍ତାହରେ 76 ଲକ୍ଷ ଟେଷ୍ଟ କରାଯାଇଥିଲା।

ଦେଶରେ 5ଟି ରାଜ୍ୟରେ 60 ପ୍ରତିଶତ ସଂକ୍ରମଣ ମାମଲା ରହିଛି। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ 29 ପ୍ରତିଶତ ଅଧିକ, ଆନ୍ଧ୍ର ପ୍ରଦେଶରେ 9 ପ୍ରତିଶତ, କର୍ଣ୍ଣାଟକରେ 10 ପ୍ରତିଶତ, ଉତ୍ତର ପ୍ରଦେଶରେ 6.8 ପ୍ରତିଶତ ଏବଂ ତାମିଲନାଡୁରେ 4.7 ପ୍ରତିଶତ ମାମଲା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହାର ରହିଛି। ମହାରାଷ୍ଟ୍ରରେ 9 ରୁ 15 ସେପ୍ଟେମ୍ଵର ମଧ୍ୟରେ 409 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କର୍ଣ୍ଣାଟକରେ 121 ଜଣ, ଉତ୍ତର ପ୍ରଦେଶରେ 73, ଆନ୍ଧ୍ରପ୍ରଦେଶରେ 69, ଏବଂ ତାମିଲନାଡୁରେ 72 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏଭଳି 18 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଛନ୍ତି ଯେଉଁଠାରେ ସଂକ୍ରମଣ ମାମଲା 5 ହଜାରରୁ 50 ହଜାର ଯାଏଁ ରହିଛି। ଦେଶରେ କେବଳ 4ଟି ରାଜ୍ୟରେ ସଂକ୍ରମଣ ସଂଖ୍ୟା 50 ହଜାରରୁ ଅଧିକ ରହିଛି।

ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଯେ ଭାରତରେ ତିନୋଟି ଟିକା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ଅଛି। କ୍ୟାଡିଲା ଏବଂ ଭାରତ ବାୟୋଟେକ୍ ଟିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ କରିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ କରିଛି ଏବଂ ଅନୁମୋଦନ ପରେ 14 ଟି ସ୍ଥାନରେ 1500 ରୋଗୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବ।

କରୋନା ଭୂତାଣୁ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ବ୍ୟବହାର ଉପରେ ଡକ୍ଟର ଭାର୍ଗବ କହିଛନ୍ତି ଯେ, ବିଭିନ୍ନ ଭୂତାଣୁ ସଂକ୍ରମଣ ପାଇଁ ପ୍ଲାଜମା ଥେରାପି 100 ବର୍ଷରୁ ଅଧିକ ସମୟ ବିଭିନ୍ନ ରୂପରେ ବ୍ୟବହାର କରାଯାଏ। କରୋନାରେ ଏହି ସବୁର ବ୍ୟବହାର କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top