ଜୀବନ ମନ୍ତ୍ର

ନୂତନ ଜାତୀୟ ଶିକ୍ଷାନୀତିରେ ବୈଷୟିକ ଶିକ୍ଷାରେ ଉନ୍ନତି ଉପରେ ଗୁରୁତ୍ୱ: ପ୍ରଫେସର ସହସ୍ରବୁଧେ

ଭୁବନେଶ୍ୱର: ଉତ୍ତମ ବୈଷୟିକ ଶିକ୍ଷା ନିମନ୍ତେ କେବଳ ଉତ୍ତମ ଭିତିଭୂମି ଏବଂ କ୍ଲାସ୍ ରୁମ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହିଁ ଯଥେଷ୍ଟ ନୁହେଁ । ଏଥିପାଇଁ ଶିକ୍ଷା ପ୍ରଦାନ ଓ ଗ୍ରହଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍‌(ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର ଅନିଲ୍ ଡି. ସହସ୍ରବୁଧେ । ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ଗ୍ରହଣ ବ୍ୟବସ୍ଥାରେ ପରିବର୍ତନ ହେବାର ଆବଶ୍ୟକତା ରହିଛି । ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ କ’ଣ ପଢ଼ାଇବେ ଓ କେମିତି ପଢ଼ାଇବେ ତାହା ଜାଣିବା ଜରୁରୀ । ଆମ ବ୍ୟବସ୍ଥାରେ ଯେଉଁ ସମସ୍ୟା ଦେଖାଯାଉଛି ସେ ଦିଗରେ ଆମେ ସଚେତନ ନୋହୁଁ ବୋଲି କହିଛନ୍ତି ପ୍ରଫେସର ସହସ୍ରବୁଧେ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ରେ ଅନୁଷ୍ଠିତ ‘ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂକଟ’ ଶୀର୍ଷକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସହସ୍ରବୁଧେ ଏହି ମନ୍ତବ୍ୟ ରଖିଥିଲେ । ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଆଇଏସ୍‌ଟିଇ)ର ୪୯ତମ ଜାତୀୟ ସମ୍ମିଳନୀ ଅବସରରେ ସୋଆ ଏବଂ ଆଇଏସ୍‌ଟିଇ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମସ୍ୟାକୁ ଆମେ ଅଣଦେଖା କରିପାରିବା ନାହିଁ ଏବଂ ଏପରି ସଂକଟରୁ ମୁକୁଳିବା ପାଇଁ ଆମକୁ ରାସ୍ତା ବାହାର କରିବାକୁ ପଡ଼ିବ ବୋଲି କହି ପ୍ରଫେସର ସହସ୍ରବୁଧେ କହିଥିଲେ ଯେ ଯଦି କୌଣସି ଛାତ୍ର କିଛି ନୂଆ ଉଦ୍‌ଭାବନ କରିବା ପାଇଁ ଚେଷ୍ଟା କରୁଛି କିମ୍ବା ତାର ସୃଜନାତ୍ମକ ମନୋଭାବ ରହିଛି ତାହାକୁ ଶିକ୍ଷକମାନେ ଗ୍ରହଣ କରି ପାରୁନାହାନ୍ତି । ଏହା ହିଁ ଆମ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି ବୋଲି ସେ କହିଥିଲେ ।

ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଦେଶରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ଗୁରୁତର ସମସ୍ୟା ଦେଇ ଗତି କରୁଛି । ଯେତେବେଳେ ଶିଳ୍ପାନୁଷ୍ଠାନ ଗୁଡ଼ିକ ଉତମମାନର ଏବଂ ଦକ୍ଷ ମାନବ ସମ୍ବଳ ଚାହୁଁଛନ୍ତି ସେତେବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଲକ୍ଷ ଲକ୍ଷ ଗ୍ରାଜୁଏଟ୍‌ ଚାକିରି ପାଇଁ ଯୋଗ୍ୟ ହୋଇପାରୁ ନାହାନ୍ତି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଇଏସ୍‌ଟିଇର ଅନରାରୀ ଫେଲୋ ଭାବେ ଗ୍ରହଣ କରାଯାଇଥିଲା । ସେମାନେ ହେଲେ ପ୍ରଫେସର ଏମ୍‌.କେ. ସୁରପ୍ପା, ଡଃ ପି.ଏମ୍‌. ଖୋଡକେ, ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ପ୍ରଫେସର ଚିତରଂଜନ ତ୍ରିପାଠୀ, ଏଆଇସିଟିଇର ଉପଦେଷ୍ଟା ଡଃ ଉଷା ନାଟେଶନ୍ ଏବଂ ପ୍ରଫେସର ଇନ୍ଦ୍ରଜିତ ପଟେଲ୍ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆନ୍ନା ବିଶ୍ୱବିଦ୍ୟାଳୟ, ଚେନ୍ନାଇର କୁଳପତି ପ୍ରପେସର ଏମ୍‌. କେ. ସୁରପ୍ପା, ସୋଆ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ, ନାକ୍‌ର ଉପଦେଷ୍ଟା ପ୍ରଫେସର ଅମୀୟ କୁମାର ରଥ ଏବଂ କେନ୍ଦ୍ର ମାନବ ସମ୍ବଳ  ବିକାଶ ବିଭାଗ ଅଧୀନସ୍ଥ ନ୍ୟାସ୍‌ନାଲ୍ ପ୍ରୋଜେକ୍ଟ ଇମ୍ପଲିମେଂଟେସନ୍ ୟୁନିଟ୍‌ର ସେଂଟ୍ରାଲ୍ ପ୍ରୋଜେକ୍ଟ ଆଡଭାଇଜର୍ ଡଃ ପି.ଏମ୍‌ ଖୋଡକେ ବକ୍ତବ୍ୟ ରଖିଥିବା ବେଳେ ଆଇଏସ୍‌ଟିଇର ସଭାପତି ଡଃ ପ୍ରତାପସିଂ କେ. ଦେଶାଇ ଅଧ୍ୟକ୍ଷତା କରିଥିଲେ ।

ପ୍ରଫେସର ସହସ୍ରବୁଧେ ଅନେକ ଶିକ୍ଷାନୁଷ୍ଠାନ କେଜି ରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ନେଇ ଗର୍ବ ଅନୁଭବ କରୁଛନ୍ତି ବୋଲି କହି ଏହା ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରୁଛି ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାଦ୍ୱାରା ଶିକ୍ଷାର ଗୁଣବତା ରକ୍ଷା କରାଯାଇ ପାରୁ ନାହିଁ ବୋଲି ସେ କହିଥିଲେ । ବର୍ତମାନ ସରକାର ବିଚାରାଧିନ ଜାତୀୟ ଶିକ୍ଷା ନୀତିରେ ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଏହି ସଂକଟରୁ କିଭଳି ବାହାରି ହେବ ସେ ଦିଗରେ ମଧ୍ୟ ଗୁରତ୍ୱାରୋପ କରାଯାଇଛି ବୋଲି ସେ କହିଥିଲେ । ପ୍ରଫେସର ସହସ୍ରବୁଧେ କହିଥିଲେ ଯେ ଦେଶର ଗ୍ରସ୍ ଏନ୍‌ରୋଲ୍‌ମେଟ ରେସିଓ ଯାହାକି ଦେଶ ସ୍ୱାଧୀନ ହେବା ପୂର୍ବରୁ ୦.୭ ପ୍ରତିଶତ ଥିଲା ତାହା ଏବେ ୨୬ ପ୍ରତିଶତରେ ପହଂଚିଛି ଏବଂ ଏହାର ଏକ ଚତୁର୍ଥାଂଶ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା କ୍ଷେତ୍ରରେ ଶିକ୍ଷାଲାଭ କରୁଛନ୍ତି । ଏଥିରେ ସଂଖ୍ୟା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଗୁଣବତାକୁ ନ୍ୟୁନ କରାଯାଉଛି । ତେବେ ଜାତୀୟ ଶିକ୍ଷା ନୀତିରେ ଏହି ସମ୍ପର୍କରେ ଆଲୋକପାତ କରାଯାଇଥିବା ସେ କହିଥିଲେ ।

ଏହି ନୂଆ ନୀତିରେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତନ ନେଇ ମଧ୍ୟ ଜୋର ଦିଆଯାଇଛି । ନୂଆ ନୀତି ଅନୁଯାୟୀ ପରୀକ୍ଷାରେ ପାଠ୍ୟକ୍ରମରୁ କେବଳ ୩୦ ପ୍ରତିଶତ ପ୍ରଶ୍ନ ରହିବ ଏବଂ ବାକି ୭୦ ପ୍ରତିଶତରେ ଅନ୍ୟାନ୍ୟ ବିଷୟବସ୍ତୁ ଯେପରିକି ଗବେଷଣା, ସୃଜନଶକ୍ତି ଏବଂ ନୂତନ ଉଦ୍‌ଭାବନ ଉପରେ ଜୋର ଦିଆଯିବ । ସେହିପରି ଶିଳ୍ପାନୁଷ୍ଠାନ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ରହିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top