X
Breaking News
ଧର୍ମ

ଶତାଧିକ ବର୍ଷ ହେଲା ଶ୍ରୀଜୀଉଙ୍କ ରଘୁନାଥ ବେଶ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ !

ପୁରୀ : ୧୨ ବର୍ଷରେ ୧୩ ପର୍ବ । ଏହି ଅବସରରେ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ଲାଗିରହିଥାଏ । ଭକ୍ତମାନଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜୀଉ । ବିଭିନ୍ନ ବେଶର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉ ହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ ।

RAGHUNATH BESA

ପ୍ରମୁଖ ବେଶ:
ମହାପ୍ରଭୁଙ୍କ ବେଶଗୁଡିକ ମଧ୍ୟରେ ଗଜାନନ ବେଶ ବା ଗଣପତି ବେଶ ବା ହାତୀ ବେଶ , ନବଯୌବନ ବେଶ, ସେନାପଟାଲାଗି ବେଶ, ଟାହ୍ୟାଲାଗି ବେଶ, ସୁନାବେଶ ବା ବଡ଼ତଢ଼ାଉ ବେଶ, ବଣଭୋଜି ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁରବଧ ବେଶ, ଗିରି ଗୋବର୍ଦ୍ଧନ ବେଶ, କୃଷ୍ଣ ବଳରାମ ବେଶ, ବଳିବାମନ ବେଶ, ରାଜା ବେଶ, ରାଧାଦାମୋଦର ବେଶ, ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ଼ା ବେଶ ବା ବାମନ ବେଶ, ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ, ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ, ରାଜରାଜେଶ୍ଵର ବେଶ , ନାଗାର୍ଜୁନ ବେଶ, ଘୋଡ଼ଲାଗି ବେଶ, ମକରଚୌରାସୀ ବେଶ, ପୁଷ୍ୟାଭିଷେକ ବେଶ , ଶ୍ରାଦ୍ଧ ବେଶ, ପଦ୍ମ ବେଶ, ଗଜ ଉଦ୍ଧାରଣ ବେଶ, ଚାଚେରୀ ବେଶ, ଦୋଳପୂର୍ଣ୍ଣିମା ବେଶ , ନବାଙ୍କ ବେଶ, ଚନ୍ଦନଲାଗି ବେଶ, ରଘୁନାଥ ବେଶ, ଅବକାଶ ବେଶ ବା ତଡ଼ପ ଉତ୍ତରୀୟ ବେଶ, ନିତ୍ୟ ଧୂପ ବେଶ, ବଡ଼ସିଂହାର ବେଶ, ହରିହର ବେଶ ପ୍ରମୁଖ ।

RAGHUNATH BESA

ରଘୁନାଥ ବେଶ
ଏହାରି ଭିତରେ ମହାପ୍ରମୁଙ୍କର ପ୍ରମୁଖ ବେଶ ହେଉଛି ରଘୁନାଥ ବେଶ । ତେବେ ବିଗତ ୧୧୩ ବର୍ଷ ଧରି ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ହୋଇନାହିଁ। ମର୍ୟ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ବର୍ଷର ବ୍ୟବଧାନରେ ଏଭଳି ଦୁର୍ଲଭ ବେଶ ଯୋଗ ପଡିଥାଏ। ହେଲେ ବେଶ ଏବେ କେବଳ ଫଟୋରେ ରହିଗଲାଣି। ଚୈତ୍ର ଶୁକ୍ଲ ନବମୀ ତିଥିରେ ଏହି ବେଶ ହୋଇଥାଏ । ମାତ୍ର ୧୧୩ ବର୍ଷ ଧରି ମହାପ୍ରଭୁ ଏହି ଦୁର୍ଲଭ ବେଶରେ ବଞ୍ଚିତ ହେଉଛନ୍ତି ।

ସ୍ୱତନ୍ତ୍ର ତିଥିରେ ଦୁର୍ଲଭ ବେଶ
ଯେଉଁ ବର୍ଷ ବୈଶାଖ ଶୁକ୍ଳ ନବମୀ ଗୁରୁବାର ଶ୍ରବଣା ମକର ପଡ଼ିଥାଏ ସେହି ବର୍ଷ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ ହୋଇଥାଏ । ୧୯୦୫ ସାଲ ଏପ୍ରିଲ ମାସ ୨୬ ତାରିଖ ଗୁରୁବାର ଦିନ ଶେଷ ଥର ନିମନ୍ତେ ରଘୁନାଥ ବେଶ ହୋଇଥିବା ଜଣାଯାଇଛି। ୨ୟ ଥର ପ୍ରଚେଷ୍ଟା ବୈଠକ ଆଲୋଚନା ୧୯୮୩ରେ ଏଥିପାଇଁ ହୋଇ ବିଫଳ ହୋଇଛି। ଆଉ ରଘୁନାଥ ବେଶ ଭକ୍ତମାନେ ଦେଖି ପାରି ନାହାନ୍ତି।  ମୋଟ ୯ ଥର ରଘୁନାଥ ବେଶ ହୋଇଥିବା ବେଳେ ୧୯୦୫ ମସିହା ପରଠାରୁ ଶ୍ରୀମନ୍ଦିରରେ ଆଉ ଏହି ବେଶ ହୋଇନାହିଁ ।

ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ କାଷ୍ଠ ନିର୍ମିତ ହସ୍ତ ପଦ ଯୁକ୍ତ ହୋଇଥାନ୍ତି। ବାମ ପାଦଟି ସିଂହାସନ ଉପରେ ଓ ଦକ୍ଷିଣ ପାଦଟି ତଳକୁ ଲମ୍ବି ରହିଥାଏ। ଧନୁ-ତୂଣୀର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ଲକ୍ଷ୍ମୀ ପ୍ରତିମା ସୀତା ରୂପେ କୋଳରେ ସ୍ଥାନ ପାଇଥାନ୍ତି। ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତ ପଦ ଯୁକ୍ତ ହୋଇ ଦୁଇ ହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବି ଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ-ରାମଙ୍କ ବାମ ପାର୍ଶ୍ଵରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଇତ୍ୟାଦି ଋଷିମାନେ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ ଚାମର ଧରି, ଜାମ୍ବବାନ କରଯୋଡି, ବିଭୀଷଣ କରଯୋଡି, ହନୁମାନ କରଯୋଡି ବସିଥାନ୍ତି।

RAGHUNATH BESA

କେଉଁ ଅଳଙ୍କାରରେ ସୁସଜ୍ଜିତ ହୋଇଥାନ୍ତି ମହାବାହୁ
ରଘୁନାଥ ବେଶ ଏକ ରାଜକୀୟ ବେଶ ହୋଇଥିବାରୁ ଏବଂ ଏହି ବେଶରେ ଅନେକ ସୁବର୍ଣ୍ଣ, ରୌପ୍ୟ, ରତ୍ନ, ମଣି ମାଣିକ୍ୟାଦିରେ ନିର୍ମିତ ଅଳଙ୍କାର ବ୍ୟବହାର ହୋଇଥାଏ । ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ । ଅତୀତରେ ରାମଙ୍କ ଅଭିଷେକ ଉତ୍ସବର ସ୍ମରଣରେ ଏହି ବର୍ଣ୍ଣାଢ୍ୟ ବେଶର ଅୟୋଜନ ହୋଇଥିଲା । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ନାନା ପ୍ରକାର ରତ୍ନ ଅଳଙ୍କାର ପରିଧାନ ପୂର୍ବକ ରାଜକୀୟ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । କେତେକଙ୍କ ମତରେ ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ରାମାନୁଜାଚାର୍ୟ୍ୟ । ଗଜପତି ରାମଚନ୍ଦ୍ର ଦେବ ତାଙ୍କ ରାଜତ୍ଵର ୧୧ ଅଙ୍କରେ ଶ୍ରାବଣ ଶୁକ୍ଳ ନବମୀରେ ଠାକୁର ମାନଙ୍କୁ ରତ୍ନସିଂହାସନରେ ବିଜେ କରାଇ ନିଜକୁ ଚତୁର୍ଥ ଇନ୍ଦ୍ରଦ୍ୟୁମ୍ନ ବୋଲି ଘୋଷଣା କରିଥିଲେ । ତାଙ୍କର ସିଂହାସନାରୋହଣ ସମୟରେ ସୂବର୍ଣ୍ଣର ରାମାଭିଷେକ ମୋହର ପ୍ରଚଳନ ହୋଇଥିଲା । ସେହି ସମୟରେ ବହୁ ଅର୍ଥ ବ୍ୟୟରେ ନାନାଦି ରତ୍ନ ଅଳଙ୍କାର ମାନ ନିର୍ମିତ କରାଇ ସେ ପ୍ରଥମେ ଠାକୁର ମାନଙ୍କୁ ରଘୁନାଥ ବେଶ କରାଇଥିଲେ । ସାଧାରଣତଃ ପରମ୍ପରା ଅନୁଯାୟୀ ବୈଶାଖ ମାସର ଯେଉଁ ଦିନ ରାମଚନ୍ଦ୍ର ଦେବଙ୍କ ଅଭିଷେକ ଉତ୍ସବ ପଡ଼ିଥାଏ, ସେହି ତିଥିରେ ଶ୍ରୀମନ୍ଦିରରେ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ ।

puri

ଦୁର୍ଲଭ ବେଶ
ବେଶ ପାଇଁ ଅଳଙ୍କାର ଅଭାବ, ପ୍ରସ୍ତୁତି ତଥା ପ୍ରଶାସନର ଆନ୍ତରିକତା ଅଭାବରୁ ମହାପ୍ରଭୁ ଏହି ଦୁର୍ଲଭ ବେଶରୁ ବଞ୍ଚିତ ହେଉଛନ୍ତି। ଶେଷଥର ପାଇଁ ୧୯୦୫ ମସିହାରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏବେ ବି ସେହି ବେଶରେ ଲାଗୁଥିବା ମହାପ୍ରଭୁଙ୍କ ପାଦ ଦୁଇଟି ଏକ ମଠରେ ମହଜୁଦ ରହିଛି।

କେବଳ ଲୋକମାନଙ୍କୁ ଜଣାଇବା ପାଇଁ କର୍ମଶାଳା ଓ ଅନ୍ୟ କିଛି ସ୍ଥାନରେ ବେଶ ପ୍ରଦର୍ଶିତ ହେଉଛି। ଅତୀତରେ ବହୁବାର ଏ ନେଇ ଉଦ୍ୟମ କରାଯାଇଛି, ମାତ୍ର ସମ୍ଭବ ହୋଇନାହିଁ। ଠାକୁରଙ୍କର ଏହି କମନୀୟ ବେଶ ସମୁଦାୟ ୧୦ ଥର ହୋଇଥିବା ନେଇ ଐତିହାସିକ ତଥ୍ୟ ରହିଛି। ତଥ୍ୟ ମୁତାବକ ଏହି ବେଶ ୧୫୩୩, ୧୫୭୭, ୧୭୩୯, ୧୮୦୯, ୧୮୩୧, ୧୮୪୨, ୧୮୫୦, ୧୮୯୩, ୧୮୯୬ ଓ ଶେଷ ଥର ପାଇଁ ମେ ୪ ତାରିଖ ୧୯୦୫ ମସିହାରେ ହୋଇଥିଲା। ୧୮୦୯ରେ ଭୋଇ ବଂଶ ରାଜା ମୁକୁନ୍ଦ ଦେବଙ୍କ ୧୪ ଅଙ୍କରେ ମୁର୍ସିଦାବାଦର ବାହାଦୂର ସିଂହ ମହାପ୍ରଭୁଙ୍କ ରଘୁନାଥ ବେଶ କରାଇଥିବା ଜଣାପଡ଼ିଛି।

RAGHUNATH BESA

ଶ୍ରୀଜଗନ୍ନାଥଙ୍କ ରାମ ବେଶ
ରତ୍ନ ସିଂହାସନରେ ମହାପ୍ରଭୁ ରାମବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ରାମ ବେଶ ହୋଇଥିବା ବେଳେ ବଡ଼ଠାକୁର ବଳଭଦ୍ର ଲକ୍ଷ୍ମଣ ରୂପରେ ବିରାଜମାନ କରିଥିଲେ। ଶ୍ରୀରାମଚନ୍ଦ୍ର ରୂପୀ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ଭରତ, ଶତ୍ରୁଘ୍ନ ଠିଆ ହୋଇ ଚାମର ଓ ଛତ୍ରି ଧରିଥିବାବେଳେ ବଳଦେବଙ୍କ ଦକ୍ଷିଣରେ ବ୍ରହ୍ମା, ବୈଶିଷ୍ଟ୍ୟ ଦଣ୍ଡାୟମାନ ହୋଇଥିଲେ। ଶ୍ରୀ ରାମଚନ୍ଦ୍ରଙ୍କ ଜାନୁ ଉପରେ ଲକ୍ଷ୍ମୀ ସୀତା ରୂପେ ଉପବେଶନ କରିଥିଲେ। ସମ୍ମୁଖରେ କର ଯୋଡି ବସିଥିଲେ ହନୁମାନ। ସିଂହାସନ ଆଗକୁ ଅଙ୍ଗଦ ଚାମର ଧରି ଜାମ୍ବବାନ କରଯୋଡି, ବିଭୀଷଣ କର, ନଳ, ନୀଳ, ଗବୟ, ଗବାକ୍ଷ ବାନର ଦଳ ବସିଥିଲେ। ମା’ ସୁଭଦ୍ରା କେବଳ ସୁନାବେଶରେ ସଜ୍ଜିତ ହୋଇଥିଲେ। ରାମଚନ୍ଦ୍ର, ଲକ୍ଷ୍ମଣ ଧନୁ ଧାରଣ କରିଥିଲେ। ଉଭୟ ବିଗ୍ରହ ହାର, ବାଲା, ବାଜୁ ଇତ୍ୟାଦି ଅଳଙ୍କାର ପରିଧାନ କରିଥିବା ଜଣାଯାଏ।

ମାତ୍ର ପ୍ରଶାସନର ଉଦାସୀନତା ଯୋଗୁ ଲୁପ୍ତ ହୋଇଯିବାକୁ ବସିଛି ଏହି ସଂସ୍କୃତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top