ନ୍ୟୁଜ୍

ପୁଣି ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ମଠ ସୁଡ଼ଙ୍ଗ

ପୁରୀ: ପୁରୀ ଗଙ୍ଗାମାତା ମଠ ସୁଡଙ୍ଗକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମଠରେ ଥିବା ସୁଡଙ୍ଗ ଶ୍ରୀମନ୍ଦିର ରତ୍ନବେଦୀକୁ ସଂଯୋଗ କରୁଥିବା ନେଇ କଳ୍ପନା ଜଳ୍ପନା ଚାଲିଛି। କିଛି ବିଦେଶୀ ଭକ୍ତ ମଠରେ ବୁଲିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା।

ଗତ 9 ତାରିଖରେ କିଛି ବିଦେଶୀ ନାଗରିକ ଏହି ଗୁପ୍ତ ସୁଡଙ୍ଗରେ ପଶି , ସୁଡଙ୍ଗରୁ ଶ୍ରୀମନ୍ଦିର ରତ୍ନସିଂହାସନ,ଶ୍ୟାମାକାଳୀ ବା ପୁରୁଣା ରାଜବାଟି ଦେଖାଯାଉଥିବା ପ୍ରକାଶ କରିବା ପରେ ସୁଡଙ୍ଗକୁ ନେଇ ଥିବା ରହସ୍ୟ ଆହୁରି ଘନାଇଛି । ଏବେ ପୁଣିଥରେ ଏହି ସୁଡଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ମଧ୍ୟରେ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ପାଇଁ ଜମି ଅଧିଗ୍ରହଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଗଙ୍ଗାମାତା ମଠରେ ସୁଡଙ୍ଗକୁ ନେଇ ପ୍ରଶ୍ନ ଉଠିଛି। ଏହି ସୁଡଙ୍ଗ ସତ ନା ମିଛ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଐତିହାସିକଙ୍କ ମତ ଅନୁଯାୟୀ ପୂର୍ବରୁ ଏହି ସୁଡଙ୍ଗ ଶ୍ୟାମାକାଳୀ ମନ୍ଦିର ନିକଟ ପୁରୁଣା ରାଜବାଟୀକୁ ସଂଯୋଗ କରୁଥିଲା। ପ୍ରାଚୀନକାଳରେ ଏହି ସୁଡଙ୍ଗ ଦେଇ ପୁରୀ ମହାରାଜା, ରାଜଗୁରୁ ଏବଂ ଅନ୍ୟ ବିଶ୍ୱସ୍ତ ସେନାଧୀକାରୀ ବ୍ରିଟିଶ ନଜରରୁ ଦୂରେଇ ରହିବାକୁ ସମ୍ଭବତଃ ଏହି ସୁଡଙ୍ଗକୁ ବ୍ୟବହାର କରୁଥିଲେ। ଏହି ଗୁପ୍ତ ସୁଡଙ୍ଗ ଶ୍ରୀମନ୍ଦିର ଭିତରକୁ ଲମ୍ବିଥିବାର ସମ୍ଭାବନା ରହିଛି ।

ଶ୍ରୀମନ୍ଦିର ନିକଟ ଗୁପ୍ତଗଙ୍ଗା ନିକଟରେ ରହିଛି 550 ବର୍ଷ ତଳର ପୁରାତନ ଗଙ୍ଗାମାତା ମଠ । ଏହି ମଠରେ ଅନେକ ରହସ୍ୟମୟ ଗୁପ୍ତ ସୁଡଙ୍ଗ ରହିଥିବା ଜଣାପଡିଥିବା ବେଳେ 2013 ମସିହାରେ ସୁଡଙ୍ଗ ପରି ଏକ ଅଞ୍ଚଳ ଠାବ ହୋଇଥିଲା।ତେବେ ଗୁପ୍ତ ସୁଡଙ୍ଗ ଉପରେ ଅଧିକ ତଥ୍ୟ ସଂଗ୍ରହ, ରକ୍ଷଣାବେକ୍ଷଣ ଓ ଏହାର ସୁରକ୍ଷା ନେଇ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱ ଦେବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top