ଟେକ୍ନୋଲୋଜି

ସମ୍ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଲୋଜି ବିଭାଗର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ବଡ଼ ସଫଳତା । ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୮ ବର୍ଷୀୟ ଯୁବକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲେ ଡାକ୍ତର । ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରେମାନନ୍ଦ ପଟ୍ଟନାୟକ ସଫଳ ଅସ୍ତ୍ରୋପଚାର ଜରିଆରେ ଛତିଶଗଡ଼ର ଯୁବକଙ୍କୁ ରୋଗମୁକ୍ତ କରିଛନ୍ତି ।

ଛତିଶଗଡ଼ର ୧୮ ବର୍ଷୀୟ ଗରୀବ ପରିବାରର ଯୁବକ ଦୁଇ ବର୍ଷ ତଳେ ଭୁଲବଶତଃ ସାବୁନ୍ ତିଆରି ପାଇଁ ବ୍ୟବହୃତ କେମିକାଲ୍ ସଲ୍ୟୁସନ୍‌କୁ ପିଇ ଦେଇଥିଲେ । ଏହା ଫଳରେ ତାଙ୍କର ଖାଦ୍ୟ ନଳୀ ଗୁରୁତର ଭାବେ ନଷ୍ଟ ହୋଇଯାଇଥିଲା । ସେ କୌଣସି ପ୍ରକାର ଖାଦ୍ୟ ଏପରିକି ଛେପ ଢ଼ୋକିବାରେ ମଧ୍ୟ ସମର୍ଥ ହୋଇପାରୁ ନ ଥିଲେ । କେବଳ ଫୁଡ୍‌ପାଇପ୍‌ ଜରିଆରେ ତରଳ ପଦାର୍ଥ ଶରୀରକୁ ନେଉଥିଲେ । ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ ଏହି ଯୁବକ ଧୀରେ ଧୀରେ ସମ୍ପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଥିଲେ ।

ଶେଷରେ ସେ ଗତ ମାସ ସମ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଡକ୍ଟର ପଟ୍ଟନାୟକ ତାଙ୍କର ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ । କୋଲନ୍ ପୁଲଅପ୍ ସର୍ଜରୀ ମାଧ୍ୟମରେ ଲାର୍ଜ ଇଂଟେଷ୍ଟାଇନର କିଛି ଅଂଶକୁ ନେଇ ଉପର ଅଂଶରେ ଯୋଡି ଖାଦ୍ୟନଳୀ ତିଆରି କରିଥିଲେ । ଆଠ ଘଂଟା ଧରି ଚାଲିଥିବା ଏହି ଅପରେସନ୍ କଷ୍ଟସାଧ୍ୟ ଥିଲା । ଅସ୍ତ୍ରୋପଚାର ପରେ ବର୍ତମାନ ରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଖାଦ୍ୟ ଗ୍ରହଣ କରିବାରେ ସମର୍ଥ ହୋଇପାରିଛି । ଏହି ଅପରେସନ୍‌ରେ ଡକ୍ଟର ପଟ୍ଟନାୟକଙ୍କ ସମେତ ଡକ୍ଟର ସୁମିତ ମହାନ୍ତି, ଡକ୍ଟର ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ନିଶ୍ଚେତକ ଡକ୍ଟର ଶାଶ୍ୱତ ପଟ୍ଟନାୟକ ସହଯୋଗ କରିଥିଲେ । ସୁସ୍ଥ ହେବା ପରେ ସେ ଏକ ନୂଆ ଜୀବନ ପାଇଲେ ବୋଲି ସମ୍ପୃକ୍ତ ଯୁବକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top