ଜୀବନ ମନ୍ତ୍ର

ନବଦିନାତ୍ମକ ଯାତ୍ରା ଶେଷ: ରତ୍ନସିଂହାସନରେ ତିନି ଠାକୁର, କାଲିଠୁ ଶ୍ରୀଜୀଉଙ୍କ ସାଧାରଣ ଦୈନନ୍ଦିନ ନୀତି

ପୁରୀ: ଶୃଙ୍ଖଳିତ ଭାବେ ବିନା ଭକ୍ତରେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିବାବେଳେ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀରେ ବିରାଜ ମାନ କରିଛନ୍ତି ମହାବାହୁ । ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ କିନ୍ତୁ ଜମିନଥିଲା ଭକ୍ତଙ୍କ ଭିଡ ।

ସଂଧ୍ୟାଧୂପ ସରିବା ପରେ 3 ରଥରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋରି ଲାଗି ଶେଷ ହୋଇ ବାଜି ଉଠିଥିଲା ବିଜେ କାହାଳି । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ ପରେ ବଡଭାଇ ବଳଭଦ୍ରଙ୍କୁ ଅଣାଯାଇଥିଲା । ତା ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ସେବାୟତ ମାନେ ପହଣ୍ଡି କରାଇ ରତ୍ନବେଦୀକୁ ବିଜେ କରିଥିଲେ ।

କାଳିଆ ସାଆନ୍ତଙ୍କ ପହଣ୍ଡି ସମୟରେ ଦେଖିବାକୁ ମିଳିଥିଲା ଆଉ ଏକ ମାନବୀୟ ଲୀଳା । ଝୁଲି ଝୁଲି କରି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍ ସିଂହଦ୍ୱାରର କବାଟ ବନ୍ଦ କରିଦେଇଥିଲେ ମା ଲକ୍ଷ୍ମୀ ସାଆନ୍ତାଣୀ । ତେବେ ନିଜ ଧର୍ମପତ୍ନୀଙ୍କ ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ସହ ପାଟବସ୍ତ୍ର ଦେବା ପରେ କବାଟ ଖୋଲି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ ମା ଲକ୍ଷ୍ମୀ । ମହାପ୍ରଭୁଙ୍କର ଏହି ଅଲଭ୍ୟ ଲୀଳାକୁ ଦେଖି ସମସ୍ତେ କୃତାର୍ଥ ହୋଇଥିବାବେଳେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇପଡିଥିଲା ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡ ।

 ତେବେ ଚଳିତ ବର୍ଷର ଘୋଷଯାତ୍ରା ସ୍ମରଣୀୟ ହୋଇ ରହିବ । ରଥଯାତ୍ରା ନହେବା ପାଇଁ କେତେ କଣ ଲୀଳା ଦେଖିବାକୁ ମିଳିଥିଲା । ପ୍ରଥମେ ରଥଯାତ୍ରା ନକରିବା ପାଇଁ ରାୟ ମଧ୍ୟ ଦେଇଥିଲେ ସୁପ୍ରିମକୋର୍ଟ । ପରେ କିନ୍ତୁ ରଥଯାତ୍ରା ପାଇଁ ମିଳିଥିଲା ଗ୍ରୀନ୍‌ ସିଗନାଲ ।  ମାନ୍ୟବର ସୁପ୍ରିମକୋର୍ଟ ଓ କୋଭିଡ କଟକଣାରେ ଶେଷ ହୋଇଛି ଚଳିତବର୍ଷର ରଥଯାତ୍ରା ଯାହାକି ଶ୍ରୀମନ୍ଦିର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ଚିରଦିନ ପାଇଁ ରହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top