ଅପରାଧ

ରିକଭରି ଏଜେଣ୍ଟଙ୍କୁ ବିଚ୍‌ ରାସ୍ତାରେ ନିର୍ଧୁମ୍‌ ପିଟିଲେ ଦୁର୍ବୃତ୍ତ, ଦେଖଣାହାରୀ ସାଜିଲେ ସ୍ଥାନୀୟ ଲୋକ

Angul finance comp attack

ଅନୁଗୋଳ: କୋଟି କୋଟି ଟଙ୍କାର ସିଟିଟିଭି ଲାଗିଛି । ଅପରାଧ ତ ଦୂରର କଥା ସହରରେ ଛୁଞ୍ଚିଟିଏ ପଡ଼ିଲେ ପୋଲିସ୍‌ ପ୍ରଥମେ ଜାଣିବ । ଏହି ସିଟିଟିଭି ହିଁ ଦୁର୍ବୃତ୍ତଙ୍କୁ ଧରିବ । ଏଭଳି ଲମ୍ବା ବାହାସ୍ଫୋଟ ମାରି ଚାଲିଥିବା ଅନୁଗୋଳ ଥାନା ପୋଲିସ୍‌ର ଆଖିରେ ଆଙ୍ଗୁଳି ଗେଞ୍ଜି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଅକ୍ଟୋବର ୨ରେ ୪ ଜଣ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ୍‌ ଗାନ୍ଧିମାର୍ଗରେ ଆତଙ୍କ ଖେଳାଇ ଦେଇଥିଲା । ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ନିର୍ଧୁମ ଛେଚି ଲହୁଲୁହାଣ କରିଛନ୍ତି । ମାଡ଼ପିଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ମଧ୍ୟ ହୋଇଛି ।

ସମୟ ଅପରାହ୍ଣ ୫ଟା । ଗାନ୍ଧିମାର୍ଗରେ ବୁଲେଟ୍‌ରେ ଯାଉଥିବା ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟଙ୍କ ବାଟ ଓଗାଳିଥିଲେ ୪ ଜଣ ଦୁର୍ବୃତ୍ତ । ଦୁଇଟି ବାଇକ୍‌ରେ ଆସିଥିଲେ ଦୁର୍ବୃତ୍ତ । ମୁହଁରେ କପଡା ବାନ୍ଧିବା ସହ ବାଇକ୍‌ର ନମ୍ବର ପ୍ଲେଟ ମଧ୍ୟ ଘୋଡ଼ାଇ ଦେଇଥିଲେ । ଜଣେ ଦୁର୍ବୃତ୍ତ ବାଇକ୍‌ ପାଖରେ ରହିଥିବା ବେଳେ ଅନ୍ୟ ୩ ଜଣ ରିକଭରି ଏଜେଣ୍ଟଙ୍କ ଉପରେ ଝାମ୍ପି ପଡ଼ିଥିଲେ । ସାଥିରେ ଆଣିଥିବା କ୍ରିକେଟ ଷ୍ଟମ୍ପ୍‌ରେ ଅତି ନିର୍ଦ୍ଦୟ ଭାବେ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତଙ୍କ ଏହି ଗୁଣ୍ଡାରାଜ ଆଗରେ ସ୍ଥାନୀୟ ଲୋକ କେବଳ ଦେଖଣାହାରୀ ସାଜିଥିଲେ । ସେମାନଙ୍କୁ ରୋକିବାକୁ କେହି ସାହସ କରିନଥିଲେ ।ରିକଭରି ଏଜେଣ୍ଟ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରୋଶରୁ ତ୍ରାହି ପାଇ ପାରିନଥିଲେ । ଆଖିବୁଜା ପିଟି ଚାଲିଥିବା ବେଳେ ଜୀବନ ବିକଳରେ ରିକଭରି ଏଜେଣ୍ଟ ଜଣକ ରାସ୍ତା ପାର୍ଶ୍ୱର ଏକ ରାସନ ଦୋକାନ ଭିତରକୁ ପଳାଇଥିଲେ । ତଥାପି ନିସ୍ତାର ପାଇନଥିଲେ ଦୁର୍ବୃତ୍ତଙ୍କଠାରୁ । ଦୁର୍ବୃତ୍ତମାନେ ଦୋକାନ ଭିତରୁ ଟାଣି ଆଣି ତଳେ ପକାଇ ପୁଣି ପିଟିଥିଲେ । ଦୋକାନ ସାମ୍ନାରେ ଥିବା ଥଣ୍ଡା ଟ୍ରେ’ରେ ଆକ୍ରମଣ କରିଥିଲେ । ଏହି ତୁମୁଳକାଣ୍ଡରେ ଦୋକାନର ଜିନିଷପତ୍ର ମଧ୍ୟ ଫିଙ୍ଗା ଫୋପଡ଼ା ହୋଇଥିଲା ।

ତେବେ ଧିରେ ଧିରେ ସେଠାରେ ଲୋକଙ୍କ ରୁଣ୍ଡ ହେବା ଆରମ୍ଭ ହୋଇଥିଲା ତେଣୁ ଏହା ଦେଖି ଦୁର୍ବତ୍ତମାନେ ଚମ୍ପଟ ମାରିଥିଲେ । ସବୁଠାରୁ ବଡ଼ କଥା ହେଲା ସ୍ଥାନୀୟ ଲୋକ ଏ ନେଇ ଅନୁଗୋଳ ପୋଲିସ୍‌କୁ ଫୋନ୍‌ କରିଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top