ଜୀବନ ମନ୍ତ୍ର

ବଡ଼ ଖବର !!! ଶ୍ରୀକ୍ଷେତ୍ରରେ ଗଡ଼ିବ ରଥ, ଘୋଷଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍‌ ସିଗନାଲ୍‌

ଭୁବନେଶ୍ୱର: ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷିତ ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଆଜି ସୁପ୍ରିକୋର୍ଟର 3 ଜଣିଆ ଖଣ୍ଡ ପୀଠ ଶୁଣାଣି କରି ରାୟ ଦେଇଛନ୍ତି । କଟକଣା ଭିତରେ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।  ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏହା ଏକ ବିରାଟ ଖୁସି ଖବର ।

ବିଭିନ୍ନ ମହଲରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ କୋଣରେ ଏବେ ଜଗା ନାଁରେ ନାରା ଚାଲିଛି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ସାରା ଓଡ଼ିଶା । ସେପଟେ ପୁରୀରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଇନମନ୍ତ୍ରୀ ପହଞ୍ଚିସାରିଛନ୍ତି । ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ସଂକ୍ରମଣ ନବ୍ୟାପିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଏନେଇ କୋର୍ଟରେ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଓକିଲ । କେବଳ ପୁରୀ ରଥଯାତ୍ରା ହେବା ନେଇ ମିଳିଛି ଅନୁମତି ।

ଗତ 18 ତାରିଖରେ ରଥଯାତ୍ରା ହେବନି ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଏନେଇ ରାଜ୍ୟ ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ମଧ୍ୟ କିଛି ଯୁକ୍ତି ରଖାଯାଇନଥିଲା । ସେହିଦନ ରାତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବେ ବୋଲି କହିଥିଲେ ରାଜ୍ୟ ସରକାର । ଏହାପରେ ଚାରିଆଡ଼େ ଅସନ୍ତୋଷ ଦେଖାଦେଇଥିଲା । ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । ଗଜପତି ମହାରାଜ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ରଥଯାତ୍ରା କରିବାକୁ ଅନୁରୋଧ କରିଥିଲେ ।

ଏହାସହ ସୁପ୍ରିମକୋର୍ଟରେ 17ଟି ମୋଡିଫିକେସନ୍‌ ପିଟିସନ ମଧ୍ୟ ଦାୟର କରାଯାଇଥିଲା । ତାପରେ ରାଜ୍ୟ ଆଇନ ବିଭାଗ ମଧ୍ୟ ଗଜପତି ମହାରାଜଙ୍କ ଅନୁରୋଧକୁ ସମ୍ମାନ ଜଣାଇ ସୁପ୍ରିମକୋର୍ଟରେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିବେ ବୋଲି ବିଜ୍ଞପ୍ତିରେ କହିଥିଲେ । ତେବେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ପରେ କେବଳ ପୁରୀ ରଥଯାତ୍ରାକୁ କଟକଣା ଭିତ୍ତିରେ ଗ୍ରୀନ ସିଗନାଲ୍‌ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶେଷରେ ଭଗବାନ ଓ ଭକ୍ତର ଭାବାବେଗ ଆଗରେ ଆଣ୍ଠେଇଛନ୍ତି ରାଜ୍ୟ ସରକାର । ସେପଟେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ।  ଏହାସହ ରଥଯାତ୍ରା ପରିଚାଳନା ନେଇ ପଦକ୍ଷେପ ରାଜ୍ୟ ସରକାର ନେବେ । ସ୍ଥିତି ଖରାପ ହେଲେ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ମଧ୍ୟ ବସିବାକୁ ଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top