ରାଜ୍ୟ

ସସପେନ୍ସ ବଢ଼ାଉଛି ବାତ୍ୟା ‘ବୁଲବୁଲ’ ! ୩ ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ

cyclone

ଭୁବନେଶ୍ୱର: ବାତ୍ୟା ବୁଲବୁଲକୁ ନେଇ ଏବେବି ସସପେନ୍ସ ଜାରି । ପ୍ରଭାବ ପଡ଼ି ନପାରେ ବୋଲି ଏସଆରସି କହିଥିଲେ । କିନ୍ତୁ କେନ୍ଦ୍ରର ତାଗିଦ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବାତ୍ୟା ବୁଲବୁଲର ପ୍ରଭାବ ଓଡ଼ିଶାରେ ଆଂଶିକ ପଡ଼ିବ ବୋଲି ପୁଣିଥରେ ଏସଆରସି ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି 3ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ବୋଲି ଘୋଷଣା କରାଯାଇଛି । ଜଗତସିଂହପୁର, ପୁରୀ ଏବଂ କେନ୍ଦ୍ରାପଡ଼ାରେ ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । କେବଳ ସେତିକି ନୁହେଁ ଏହାସହ କେନ୍ଦ୍ରାପଡ଼ାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଦିଆଯାଇଛି ।

ପୂର୍ବ ଅପେକ୍ଷା ବାତ୍ୟା ବୁଲବୁଲର ଗତି ବୃଦ୍ଧି ପାଇଛି । ଏହା ଘଣ୍ଟାକୁ 13 କିଲୋମିଟର ବେଗରେ ଗତି କରୁଛି । ଏହା ଓଡିଶାର ଉପକୂଳ ଛୁଇଁବ ନାହିଁ । କିନ୍ତୁ ଏହା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ ଗତି କରିବା ସମୟରେ ଏହାର ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିବ । ବୁଲବୁଲ ପ୍ରଭାବରେ 8 ତାରିଖରୁ ଓଡ଼ିଶାରେ ବର୍ଷା ସହ ପବନ ହେବ  । 10 ତାରିଖ ବେଳକୁ ଛାଡ଼ିଯିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

8 ତାରିଖରେ ପୁରୀ, କେନ୍ଦ୍ରାପଡ଼ା ଓ ଡଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ 9 ତାରିଖ ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ ଓ ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ତାଗିଦ କରିଛନ୍ତି କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସ ଜରିଆରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରାଯିବା ସହ ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ତେବେ ଏହି ସମୟରେ କଚ୍ଚାଘର, ବିଦ୍ୟୁତ୍‌ ଖୁଣ୍ଟ, ଗଛ ଓ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି  । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।  ଏହି ସବୁ ଜିଲ୍ଲାଗୁଡିକରେ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସଜାଗ ରଖା ଯାଇଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top