ନ୍ୟୁଜ୍

ରାଜ୍ୟର ସ୍ଥଳଭାଗ ଛୁଇଁଲାନି ବୁଲବୁଲ, ପ୍ରଭାବରୁ ବର୍ତ୍ତିପାରିଲାନି ଉପକୂଳ ଓଡ଼ିଶା

BULBUL_1_CARD_GFX_00000

ଭୁବନେଶ୍ୱର: ପାଚିଲା ଧାନ ବିଲରେ ଲହଡି ମାରୁଛି ପାଣି । କେଉଁଠି ପାଣିରେ ବୁଡି ରହିଛି ମାଳମାଳ ଧାନକେଣ୍ଡା ତ କେଉଁଠି ଭୂଇଁରେ ଲୋଟି ପଡିଛି ଫସଲ । ବୁଲବୁଲ ବାତ୍ୟା ଉଜାଡି ଦେଇଛି ଉତ୍ତର ଓଡିଶାର ଚାଷବାସ । ବୁଲବୁଲ ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବିଶେଷ କରି ଭଦ୍ରକ, ବାଲେଶ୍ୱର ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ବାତ୍ୟା ଓ ବର୍ଷାରେ ସବୁକିଛି ନଷ୍ଟ ହୋଇଛି । ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ପନିପରିବା ବି ନଷ୍ଟ ହୋଇଛି ।

ବୁଲବୁଲ ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନଥିଲେ ହେଁ ଏହାର ପ୍ରଭାବରୁ ଉପକୂଳ ଓଡ଼ିଶାକୁ ନିସ୍ତାର ମିଳିନି । ଉପକୂଳର ୬ଟି ଜିଲ୍ଲାରେ ଅମଳ ଅପେକ୍ଷାରେ ଥିବା ପ୍ରାୟ ୪୦ ପ୍ରତିଶତ ଖରିଫ ଧାନ ଫସଲ ପ୍ରଭାବିତ ହୋଇଛି । ବାତ୍ୟା ବୁଲବୁଲରେ ସୋର, ବାହାନଗା ବ୍ଲକର ୩୪ ହଜାର ହେକ୍ଟର ଧାନ ଚାଷ ପ୍ରଭାବିତ ହୋଇଛି । ସୁଲତାନପୁର ଗାଁରେ ୨୫୦ ହେକ୍ଟର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅମଳର ମାତ୍ର କିଛି ଦିନ ପୂର୍ଵରୁ ହୋଇଥିବା ବାତ୍ୟା  ଚାଷୀଙ୍କ ଅସ୍ଥିତ୍ୱକୁ ଦୋହଲାଇ ଦେଇଛି ।

ବୁଲବୁଲ୍ ପ୍ରଭାବରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଏସବୁ ଜିଲ୍ଲାରେ ପବନର ବେଗ ଅଧିକ ରହିବାରୁ ଅଧିକାଂଶ ଅଞ୍ଚଳରେ ବହୁ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି । ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ  କରିବା ସମୟରେ ପବନର ବେଗ ୯୦କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲେ ହେଁ ଶନିବାର ସକାଳେ ଧାମରା ବନ୍ଦରଠାରେ ୧୧୦କିମି ବେଗରେ ପବନ ବହିଥିଲା ।

ଏହି ବର୍ଷା, ପବନ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । କୃଷି ସଚିବଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୬ଲକ୍ଷ ହେକ୍ଟର ଚାଷ ଜମିରୁ ୩୫ରୁ ୪୦ଭାଗ ଚାଷ ଜମିରେ ଫସଲହାନି ହୋଇଥିବା ଜଣାପଡ଼ିଛି । ଆଜି ଆରଡିସି ଭଦ୍ରକ ଚାନ୍ଦବାଲି ଯାଇ ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହା ସହ ପ୍ରତି ପଂଚାୟତର ଆରଆଇ ଓ ତହସିଲଦାର ୭ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ସହ କୃଷି କ୍ଷୟକ୍ଷତିର ଆକଳନ ୩ ଦିନ ମଧ୍ୟରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବୁଲବୁଲ ଜମିରେ ଧାନକେଣ୍ଡା ଭାଙ୍ଗିବା ସହ ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । କାହାର ଚାଷ ଯାଇଛି ତ କିଏ ହରାଇଛି ବାସ । ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top