ଧର୍ମ

ବାହାରେ ତାଲା, ଭିତରେ ସିନ୍ଦୁକ ମେଲା

ratna bhandar

ଭୁବନେଶ୍ୱର :ଭଣ୍ଡାର ଲୁଚା କଥା ପଦାକୁ ଆସିଛି । ଯେଉଁ କଥାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି, ତାହା କାନରୁ ଦି’କାନ ହୋଇସାରିଲାଣି । ଭିତର ଗମ୍ଭୀରାରେ ବାହାରୁ ତାଲା ପଡିଛି କିନ୍ତୁ ଭିତରେ ଥିବା ରତ୍ନ ସିନ୍ଦୁକରେ ତାଲା ନାହିଁ । ସୁତରାଂ ଏହି ସିନ୍ଦୁକ ଭିତରେ ମହାପ୍ରଭୁଙ୍କ ରତ୍ନ ଅଳଂକାର , ମଣି ମାଣିକ୍ୟ ଏବଂ ଅନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ନାହିଁ ବୋଲି ସନ୍ଦେହ କରାଯାଉଛି । ସରକାରଙ୍କ ପାଖରେ ଖବର ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ନ ଜାଣିଲାପରି ରହିଛନ୍ତି । ସବୁଠୁ ଧନୀ ଦେବତା ବୋଲି କୁହାଯାଉଥିବା ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ କଳାକନା ବୁଲେଇ ଦିଆଯାଇଛି ।

୧୯୮୪ ରେ ଶେଷ ଥର ରତ୍ନ ଭଣ୍ଡାରର ଦୁଇଟି ଗମ୍ଭୀରା ଖୋଲାଯାଇଥିଲା । ପ୍ରଥମ ଗମ୍ଭୀରାରେ ରହୁଥିବା ଅଳଂକାର ମହାପ୍ରଭୁଙ୍କ ବାର୍ଷିକ ରୀତିନୀତିରେ ବ୍ୟବହୃତ ହୋଇଥାଏ । ଯାହାକୁ ଲୋକେ ଦେଖିଥାନ୍ତି । ଏହାର ଏକ ତାଲିକା ମଧ୍ୟ ଅଛି । ତେଣୁ ଏହି ଦୈନନ୍ଦିନ କିମ୍ବା ଉତ୍ସବ ଗୁଡିକରେ ବ୍ୟବହୃତ ଶ୍ରୀଜୀଉଙ୍କ ଅଳଂକାରକୁ ନେଇ ବିଶେଷ ସନ୍ଦେହ ହେଉ ନଥିଲେ ମଧ୍ୟ ଦ୍ୱିତୀୟ ଗମ୍ଭୀରାରେ ଥିବା ରତ୍ନାଦି ଅଳଂକାରକୁ ନେଇ ସନ୍ଦେହ ଅଧିକ ଘନିଭୂତ ହୋଇଛି । ୧୯୮୪ ମସିହାରେ ଯେଉଁ ଯାଞ୍ଚ ହୋଇଥିଲା ବୋଲି କୁହାଯାଉଛି ସେ ସଂକ୍ରାନ୍ତ ତଥ୍ୟ ମଧ୍ୟ କାହା ପାଖରେ ନାହିଁ । ଅଳଂକାର ଓ ମଣିମୁକ୍ତାର କୌଣସି ତାଲିକା ହୋଇନାହିଁ । ଫଳରେ ଏହା ଚୋରମାନଙ୍କ ପାଇଁ ବିରାଟ ସୁଯୋଗ ଆଣିଦେଇଛି ବୋଲି ଏବେ ସନ୍ଦେହ କରାଯାଉଛି ।

Jagannath

Courtesy: navrangindia.blogspot.com

ପ୍ରଥମ ଗମ୍ଭୀରାର ଚାବି ଭିତର ମେକାପଙ୍କ ପାଖରେ ରହିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା କାହିଁକି କେହି ଦ୍ୱିତୀୟ ଗମ୍ଭୀରାର ଚାବି କଥା ମନେ ପକାଇ ନାହାନ୍ତି । ହାଇକୋର୍ଟଙ୍କ ଆଦେଶ ଯୋଗୁଁ ଭଣ୍ଡାର ଘର ଯାଞ୍ଚ ନିଷ୍ପତି ହେଲା । କିନ୍ତୁ କାହିଁକି କେଜାଣି ହଠାତ୍ ଏଭଳି ଯାଞ୍ଚକୁ ବିରୋଧ କରିବା ଆରମ୍ଭ ହୋଇଗଲା । ଏହାକୁ ପ୍ରାୟୋଜିତ ବିରୋଧ ବୋଲି ଅନୁମାନ କରାଯାଉଛି । ଏପରିକି ସ୍ୱେଚ୍ଛାକୃତ ଆତ୍ମହତ୍ୟା ପାଇଁ ଜଣେ ଦୁଇଜଣ ସେବାୟତ ମଧ୍ୟ ଇଛା ପ୍ରକଟ କଲେ । ଜଗନ୍ନାଥଙ୍କ ସମ୍ପତ୍ତି ଆକଳନ କରିବାରେ ଭୁଲ କେଉଁଠି ବୋଲି ପ୍ରଶ୍ନ ହେବାରୁ ବଡ଼ ଅଜବ ଉତ୍ତର ମିଳିଲା । ଭଗବାନଙ୍କ ରତ୍ନ ଅଳଂକାର ହଡପ କରିବା ପାଇଁ ଉଦ୍ୟମ ହେଉଛି, ଜଗନ୍ନାଥ ନିଜ ସମ୍ପତ୍ତିର ରକ୍ଷକ ବୋଲି ଯୁକ୍ତି କରାଯାଉଥିଲା ।

ଏକ ୧୬ ଜଣିଆ କମିଟି ଯାଞ୍ଚ ପାଇଁ ଗଢାହେଲା । କ’ଣ କରାଯିବ ଏବଂ କ’ଣ କରାନଯିବ ତାହାର ଏକ ତାଲିକା ମଧ୍ୟ ପ୍ରକାଶ ପାଇଲା । ଗାମୁଚ୍ଛା ପିନ୍ଧି, ମୋବାଇଲ ନନେଇ, ଜଗନ୍ନାଥଙ୍କୁ ସ୍ମରଣ କରି ଯାଞ୍ଚ ଦଳ ଭିତରକୁ ଗଲେ । ପ୍ରଥମ ଗମ୍ଭୀରା ଖୋଲିଲା । କିନ୍ତୁ କାହା ପାଖରେ ଦ୍ୱିତୀୟ ଭଣ୍ଡାର ଘରର ଚାବି ନଥିଲା । ଏହାର ଛାତ ଓ କାନ୍ଥ ଯାଞ୍ଚ ହେବାର ଆବଶ୍ୟକତା ଅଛି । ଏହା ଜାଣି ସୁଦ୍ଧା କାହିଁକି ଭିତର ଚାବି କଥା କାହା ମନକୁ ଆସିନଥିଲା । ଆଜି ପର୍ଯ୍ୟନ୍ତ ଏହି ଚାବିର ଖୋଜ ଖବର ମିଳୁନାହିଁ । ଚାବି ନ ମିଳିଲେ ଯେ, ଭିତର ଘରର ତାଲା ଭଙ୍ଗାଯାଇ ନୂତନ ତାଲା ଲଗାଯାଇ ପାରିବ ନାହିଁ ଏହା ନୁହେଁ । କିନ୍ତୁ ଭିତରକୁ ଯିବାପାଇଁ ଉଦ୍ୟମ ହେଲା ନାହିଁ କାହିଁକି?

ରତ୍ନ ଭଣ୍ଡାର ଯାଞ୍ଚ ଦିନ ପ୍ରଚାର ହେଲା ଯେ, ସମସ୍ତେ ଲୋକନାଥଙ୍କ ଧଣ୍ଡା ଛୁଇଁ ଶପଥ ନେଉଛନ୍ତି, କେହି କିଛି କାହାକୁ କହିବେ ନାହିଁ । ଏପରି ଶପଥ ନେବା ବ୍ୟବସ୍ଥା ପ୍ରଶାସନ ଦ୍ୱାରା ସ୍ୱୀକୃତ କି? ଶ୍ରୀମନ୍ଦିର ପ୍ରଶାସନ ଏଭଳି ଶପଥ ଗ୍ରହଣ ସମାରୋହ କରିଥିଲେ କି ? ଏବେ କାହିଁକି ଏବଂ କି ଉଦ୍ଦେଶ୍ୟରେ ଏଭଳି ପ୍ରଚାର କରାଗଲା । ମିଳିଥିବା ବିଶ୍ୱସ୍ତ ସୂତ୍ରାନୁସାରେ ଲୋକନାଥ ଧଣ୍ଡା ଶପଥ କଥା କେବଳ ସତ ଲୁଚାଇବା ପାଇଁ ପ୍ରଚାର ହୋଇଥିଲା ।

ଭିତର ଗମ୍ଭୀରାର ଚାବି ନଥିଲା । କିନ୍ତୁ ପ୍ରଥମ ଗମ୍ଭୀରା ଭିତରୁ ଥାଇ ଯେତେବେଳେ ଭିତର ଗମ୍ଭୀରା ଭିତରକୁ ଅନେଇଲେ ଯାଞ୍ଚ ଦଳ,ସେତେବେଳେ ଅନେକଙ୍କର ହୋସ ଉଡିଯାଇଥିଲା । ଭିତରେ ଥିବା ବଡବଡ ସିନ୍ଦୁକରେ ତାଲା ନଥିଲା । ଯେଉଁ ସିନ୍ଦୁକରେ ହଜାରହଜାର କୋଟି ଟଙ୍କାର ରତ୍ନାଦି ଅଳଂକାର ଅଛି, ସେ ସିନ୍ଦୁକର ତାଲା ଖୋଲିଲା କିଏ ? ତାଲା ଗଲା କୁଆଡେ ?

ବୋଧହୁଏ ସେଥିପାଇଁ ଯାଞ୍ଚକୁ ବିରୋଧ କରାଯାଉଥିଲା । ୨୦୦୧ ମସିହାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ବି ଚୋରେଇ ନେଲେ ଦୁବୃର୍ତ୍ତ । ସେତେବେଳେ ଯଦି ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କ ଚେତା ପଶିଥାନ୍ତା ତେବେ ରତ୍ନଭଣ୍ଡାର ଯାଞ୍ଚ କରିବା ପାଇଁ ନିଷ୍ପତି ନେଇଥାନ୍ତେ । ତେବେ ଆଜି ରତ୍ନଭଣ୍ଡାର କଳାକନା ବୁଲି ନଥାଆନ୍ତା । ସରକାର ଲୁଚାଇଲେ ବି ପ୍ରକୃତ ସତ୍ୟଟି ହେଲା ରତ୍ନଭଣ୍ଡାରର ଦ୍ୱୀତୀୟ ଗମ୍ଭୀରା ଖାଲି ହୋଇସାରିଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top