ନ୍ୟୁଜ୍

‘କଂଗ୍ରେସର ବରିଷ୍ଠ ବିଧାୟକଙ୍କ ପାଖରେ ନୁଙ୍ଗୁରୁପୁଙ୍ଗୁରୁ ହେଉଛନ୍ତି ବିଜେଡିର ଜଣେ ପ୍ରଭାବଶାଳୀ ବିଧାୟକ’

ଭୁବନେଶ୍ୱର: ଭିଏଲଡବ୍ଲୁ ସ୍ମିତାରାଣୀ ମାମଲାକୁ ଚପାଇଦେବାପାଇଁ ଶାସକ ବିଜେଡି ପ୍ରୟାସ କରୁଛି । କଂଗ୍ରେସର ଜଣେ ବରିଷ୍ଠ ବିଧାୟକଙ୍କ ପାଖରେ ବିଜେଡିର ଏହି ପ୍ରଭାବଶାଳୀ ବିଧାୟକ ଜଣଙ୍କ ନୁଙ୍ଗୁରୁ ପୁଙ୍ଗୁରୁ ହେଉଛନ୍ତି । ଏପରି ସାଙ୍ଘାତିକ ଅଭିଯୋଗ ଆଣି ଆଜି ପୁଣିଥରେ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ।

ଆଉ କହିଛନ୍ତି ସ୍ମିତାରାଣୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଧାୟକ ଦଳ ତାର ଆନ୍ଦୋଳନ କରିବ । ସ୍ମିତାରାଣୀ ମାମଲାରେ ସିବିଆଇ ତଦନ୍ତ ଦାବି କରି ଆଜି 4ର୍ଥ ଦିନରେ ମଧ୍ୟ ବିଧାୟକ ଦଳ ଗୃହରେ ପ୍ରତିବାଦ କରିଥିଲା । ମୁହଁରେ କଳାପଟି ଆଉ ଦେହରେ କଳାଗାମୁଛା ଧାରଣ କରି ପ୍ରଶ୍ନକାଳରେ ନିଜ ଆସନରେ ଛିଡା ହୋଇ ରହିଥିଲେ ବିଧାୟକ…ଆଉ ବାଚସ୍ପତି ବିଧାୟକ ମାନଙ୍କୁ ନିଜ ଆସନରେ ବସିବାକୁ କହିଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବିଧାୟକ । ଆଉ ଏହାପରେ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଦେଇଥିଲେ ଧାରଣା । ସ୍ମିତାରାଣୀ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ଚାପିଦେବାପାଇଁ ପ୍ରୟାସ ହେଉଛି ବୋଲି ଅଭିଯୋଗ କରିଥିଲେ ଖୋଦ୍ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ।

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକଙ୍କ ପାଖରେ ବିଜେଡି ବିଧାୟକଙ୍କ ନୁଙ୍ଗୁରୁପୁଙ୍ଗୁର ହେବା ପ୍ରସଙ୍ଗକୁ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆଉ ସିଧାସିଧା କହିଛନ୍ତି କାମ ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟୁ  । ଏପରିକି ବିଜେପି ବିଧାୟକ କଣ ବବିଙ୍କ ସହ କଥା ହୁଅନ୍ତି ନାହିଁ ବୋଲି ପାଲଟା ପ୍ରଶ୍ନ କରି ବିଷ୍ଣୁଙ୍କୁ ସମାଲୋଚନା କରିଛନ୍ତି ତାରା । ଆଉ ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ତାରା ।

ସେପଟେ ଆଜି ବିରୋଧୀ ଦଳର ନେତାଙ୍କ ସମେତ ବିଜେପିର ସମସ୍ତ ବିଧାୟକ ମାନେ ଧାରଣାରେ ବସିଥିବା ବେଳେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଦଳର ମୁଖ୍ୟସଚେତକ ପ୍ରମିଳା ମଲିକଙ୍କ ସହ ଶାସକ ଦଳର କିଛି ବିଧାୟକ ଧାରଣାରତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିଥିଲେ । ତେବେ କଂଗ୍ରେସ ଓ ବିଜେଡି ଭିତରେ ଥିବା ବୁଝାବଣାକୁ ପ୍ରମିଳା ଖଣ୍ଡନ କରିବା ସହ ବରଂ କଂଗ୍ରେସ ଓ ବିଜେପି ମଧ୍ୟରେ ସମ୍ପର୍କ ଥିବା କହିଛନ୍ତି ।

ସେପଟେ ଦୀର୍ଘ ଏକ ମାସପରେ ଆଜି ପ୍ରଶାସନ ପକ୍ଷରୁ ସ୍ମିତାରାଣୀଙ୍କ ସରକାରୀ କ୍ୱାର୍ଟର୍ସର ତାଲା ଖୋଲା ଯାଇଥିବା ବେଳେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଛି । ମାଜିଷ୍ଟ୍ରେଟ୍, ବିଡିଓ, ପୋଲିସ ଓ ସ୍ମିତାଙ୍କ ସ୍ୱାମୀ ଶୁଶିଲଙ୍କ ଉପସ୍ଥିତିରେ ତାଙ୍କ ସରକାରୀ କାର୍ଯ୍ୟାଳୟର ଅର୍ଥାତ ବ୍ଲକ ଅଫିସରେ ସେ ଯେଉଁ କାମ କରନ୍ତି, ତାର ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଉଛି  । ଏପରିକି ସ୍ମିତାଙ୍କର ସରକାରୀ ଆଲମିରା ଓ ଲକର ଖୋଲାଯାଇଛି  । ସେହିପରି ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସଭବନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯାଇଛି  । ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସରପଞ୍ଚଙ୍କ ଆଲ୍‌ମିରା ମଧ୍ୟ ଖୋଲାଯାଇଛି  । ସେଥିରେ ଥିବା ସରକାରୀ କାଗଜପତ୍ର ଗୁଡ଼ିକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top