ନ୍ୟୁଜ୍

ରାଜ୍ୟରେ ବଢ଼ିଚାଲିଛି ସୂଚନା ଅଧିକାର କର୍ମୀଙ୍କ ହତ୍ୟା ଘଟଣା, ପୁଣି ତିନିଜଣଙ୍କୁ ମିଳିଛି ହତ୍ୟା ଧମକ…

ଅର୍ଗସ ବ୍ୟୁରୋ: ରାଜ୍ୟରେ ବଢ଼ିଚାଲିଛି ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା । ରଞ୍ଜନ ଦାସ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୁଣି ଆଉ ତିନିଜଣ ସୂଚନା ଅଧିକାର କର୍ମୀଙ୍କୁ ମିଳିଛି ହତ୍ୟା ଧମକ । କିନ୍ତୁ ସମସ୍ତ ଘଟଣାରେ ଚୁପ ରହୁଛି ପୋଲିସ ପ୍ରଶାସନ । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ  । ଗଂଜାମର ସୀମାଞ୍ଚଳ ଜେନା, ମୟୂରଭଞ୍ଜର ରାଜକିଶୋର ନାୟକ ଏବଂ କଟକର ଶ୍ରୀକାନ୍ତ ପାକଲକୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛି ଏହି ଅଭିଯାନ ।

ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରିବାକୁ ଯାଇ ସୂଚନା ଅଧିକାର ଆଇନ ତଥ୍ୟ ମାଗି ଥିବାରୁ ସେମାନଙ୍କୁ ହତ୍ୟା ଧମକ ମିଳିଥିବା ସେମାନେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।  ଏସମ୍ପର୍କରେ ସ୍ଥାନୀୟ ଥାନା ଅଧିକାରୀ, ଡିସିପିଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ଓସା ।

ସେପଟେ କେନ୍ଦ୍ରାପଡ଼ାର ସୂଚନାଧିକାର କର୍ମୀ ରଞ୍ଜନ ଦାସ ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କିମଟି ଗଠନ କରିବାକୁ ଦାବି କଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ । ଏନେଇ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନ ଏବଂ ଲୋକାୟୁକ୍ତଙ୍କ ନିକଟରେ ରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଫରାଦ ହୋଇଥିବା ଜଣାଇଛି । ଲୋକାୟୁକ୍ତ ଘଟଣା ସମ୍ବନ୍ଧରେ ଅବଗତ ହେବା ପରେ ରାଜ୍ୟ ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ, ପୋଲିସ ମହାନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ପୋଲିସକୁ  ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରଞ୍ଜନ ଦାଶ ଜାନୁଆରୀ 27 ତାରିଖ ଦିନ ଲୋକାୟୁକ୍ତଙ୍କ ନିକଟରେ ଦୁଇଟି ବଡ଼ ବଡ଼ ଦୁର୍ନିତୀ ଘଟଣାର ତଦନ୍ତ ପାଇଁ କେଶ ଫାଇଲ କରିଥିଲେ । ଏହାସହ ସେ ନିଜର ଜୀବନ ପ୍ରତି ବିପଦ ଥିବା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଫେବୃୟାରୀ 1 ତାରିଖରେ ରଞ୍ଜନଙ୍କ ମୃତଦେହ ଏକ ବିଲ ନିକଟରୁ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଥିଲା । ଯାହାର ତଦନ୍ତ କରିବାକୁ ଲୋକାୟୁକ୍ତ କେନ୍ଦ୍ରାପଡ଼ା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  

Click to comment

Leave a Reply

Your email address will not be published. Required fields are marked *

Most Popular

To Top