ମନୋରଞ୍ଜନ

‘ପ୍ରଚେଷ୍ଟା ହିଁ ତୁମର ହାର-ଜିତ୍‌ ନିର୍ଣ୍ଣୟ କରେ’: କାହିଁକି ଜୀବନ ଯୁଦ୍ଧରେ ହାରିଗଲେ ସୁଶାନ୍ତ ?

ଅର୍ଗସ ବ୍ୟୁରୋ: ଚାଲିଗଲେ ରିଲ୍ ଲାଇଫର ଧୋନୀ । ଆଉ ନାହାନ୍ତି ବଡ ପରଦାର ଛିଚୋରେ । ଇରଫାନ ଖାନ, ଋଷି କପୁରଙ୍କ ବିଦାୟ ଶୋକରେ ଥିବା ବଲିଉଡ ଜଗତ ପାଇଁ ଆଉ ଏକ ଦୁଃଖ ଦେଇଗଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ  । ରବିବାର ମୁମ୍ୱାଇ ବାନ୍ଦ୍ରା ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ 34 ବର୍ଷ ହୋଇଥିଲା । ଶନିବାର ରାତିରେ ସୁଶାନ୍ତଙ୍କ କିଛି ବନ୍ଧୁ ତାଙ୍କ ସହ ଘରେ ରହିଥିଲେ । ସକାଳେ କବାଟ ନଖୋଳିବାକୁ କବାଟକୁ ଭଙ୍ଗା ଯାଇଥିଲା । ଭିତରେ ସୁଶାନ୍ତଙ୍କ ଶରୀର ରଶିରେ ଝୁଲି ରହିଥିଲା । ଏହାପରେ ଘରେ କାମ କରୁଥିବା ଜଣେ କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଲିସ ରିପୋର୍ଟ ଅନୁସାରେ ଗତ ଛ ମାସରୁ ସେ ଡିପ୍ରେସନରେ ଥିଲେ । ସେପଟେ ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏହି କଥାକୁ ଗ୍ରହଣ କରିବାକୁ ନାରଜ ପରିବାର ଲୋକେ ।

 1986 ମସିହା ଜାନୁଆରୀ 21ରେ ବିହାରର ପାଟନାରେ ଜନ୍ମ ଗ୍ରହଣ କରିଥିଲେ ସୁଶାନ୍ତ । ଧାରାବାହିକ ଅଭିନେତା ଭାବେ ନିଜର ଅଭିନୟର ଏହି ଯାତ୍ରା ଆରମ୍ଭ କରିଥିଲେ । 2008 ମସିହାରେ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ କିସ୍‌ ଦେଶ ମୈ ହେ ମେରା ଦିଲରେ ପ୍ରଥମ ଥର ପାଇଁ ଅଭିନୟର ସୁଯୋଗ ପାଇଥିଲେ । 2009ରୁ 2011 ପର୍ଯ୍ୟନ୍ତ ଧାରାବାହିକ ପବିତ୍ର ରିସ୍ତାରେ କାମ କରିବା ପରେ ବଡ ପରଦାର ଅଫର ମିଳିଥିଲା । 2013ରେ  କାଇ ପୋ ଛେ ଜରିଆରେ ବଡ ପରଦାରେ ପାଦ ଥାପିଥିଲେ । ଆଉ ପ୍ରଥମ ସିନେମାରୁ ହିଁ ନିଜର ଅଭିନୟରେ ଦର୍ଶକଙ୍କ ମନରେ ଘର କରିଥିଲେ ।

ସିନେମାଟି ସେହି ସମୟରେ ବେଶ ସଫଳତା ପାଇଥିଲା । ଏଥିପାଇଁ ବେଷ୍ଟ ମେଲ ଡେବ୍ୟୁଟାଣ୍ଟ ଭାବେ ଫିଲ୍ମ ଫେୟାର ଆୱର୍ଡ ପାଇଁ ନୋମିନେଟ ହୋଇଥିଲେ । ଅତି କମ ବର୍ଷର ନିଜର ଫିଲ୍ମି କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ସୁଶାନ୍ତ ସିଂହ ରାଜପୁତ । ନିଜର 7 ବର୍ଷର ଏହି ଫିଲ୍ମ ଯାତ୍ରରେ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି ସୁଶାନ୍ତ । ସୁଦ୍ଧ ଦେଶି ରୋମାନ୍ସ, ଡିଟେକ୍ଟଭି ବୋମକେଶ ବକ୍ସି, ପିକେ ଭଳି ବହୁ ଚଳଚିତ୍ରରେ ସୁନ୍ଦର ଅଭିନୟ କରି ନିଜର ଅଭୁଲା ଛାପ ଛାଡି ଯାଇଛନ୍ତି । ସୁଶାନ୍ତଙ୍କୁ ସବୁଠାରୁ ଅଧିକ ସଫଳତା ମିଳିଥିଲା 2016ରେ ରିଲଜ ହୋଇଥିବା ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀରୁ । ଏହି ଫିଲ୍ମରେ ସେ ପୂର୍ବତନ ଭାରତୀୟ ଅଧିନାୟକ ଧୋନୀଙ୍କ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ଲୋକପ୍ରିୟ ଡାଏଲଗ ଥିଲା, ‘ତୁମର ରେଜଲ୍ଟ ଡିସାଇଡ୍‌ କରେନି ତୁମେ ଲୁଜର କି ନୁହଁ, ତୁମର ପ୍ରଚେଷ୍ଟା ହିଁ ଡିସାଇଡ୍‌ କରେ ।’ 2019ରେ ରିଲିଜ ହୋଇଥିବା ଛିଚୋରେ ଥିଲା ସୁଶାନ୍ତ ସିଂହଙ୍କ ଅଭିନିତ ଶେଷ ଚଳଚିତ୍ର ।

ସେପଟେ ସୁଶାନ୍ତଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବଲିଉଡ ଜଗତ ଶୋକାକୂଳ ହୋଇଛି । ବଲିଉଡ ଅଭିନେତାଙ୍କ ଠାରୁ କ୍ରିକେଟର ଏବଂ ରାଜନେତା ସୁଶାନ୍ତଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ବ୍ୟକ୍ତ କରି ସୁଶାନ୍ତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଅଭିନେତା ଅକ୍ଷୟ କୁମାର, ଅନୁପନ ଖେର, ବରୁଣ ଧୱନ, ଅନୁଷ୍କା ଶର୍ମା ସୁଶାନ୍ତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top