ନ୍ୟୁଜ୍

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଞ୍ଚ ମାସ ପାଇଁ ବୃଦ୍ଧି ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ, ଓଡିଶା ଅଧିକ ଲାଭ ପାଇବ– ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ମାସ ପାଇଁ ବୃଦ୍ଧି କରିଥିବା ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ତଥା ଓଡ଼ିଶା ଭଳି ରାଜ୍ୟ ଏହା ଦ୍ୱାରା ଅଧିକ ଲାଭ ପାଇବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ଜଣେ ବି ଲୋକ ଭୋକରେ ନରୁହନ୍ତୁ, ଏହାକୁ ମୋଦି ସରକାର ଅଧିକ ପ୍ରାଥମିକତା ଦେଇଛନ୍ତି । ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଗରିବଙ୍କ କଲ୍ୟାଣ ପ୍ରତି ମୋଦି ସରକାରଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି । ଦେଶର କୃଷକ ଓ କରଦାତାଙ୍କୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ତଳ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରିପାରିଛି ।

କରୋନା ସହ ଲଢ଼େଇ ଏବେ ସୁଦ୍ଧା ସମାପ୍ତ ହୋଇନାହିଁ । ଏହି ସଂକ୍ରମଣ ପ୍ରତି ସତର୍କ ଏବଂ ସାବଧାନ୍ ହିଁ ବର୍ତ୍ତମାନ ସମୟରେ ବଡ଼ ସୁରକ୍ଷା । କରୋନା ବିରୁଦ୍ଧରେ ସମସ୍ତ ନିୟମକୁ ମାନି ଦେଶ ଏବଂ ଅର୍ଥ ବ୍ୟବସ୍ଥାକୁ ଆତ୍ମନିର୍ଭର ଆଡ଼କୁ ନେବାର ଆବଶ୍ୟକତା ରହିଛି । ସୁସ୍ଥ ରହି ଦୁଇ ମିଟର ଦୂରତାକୁ ପାଳନ କରିବା, ଗାମୁଛା, ମାସ୍କ ଇତ୍ୟାଦିର ଉପଯୋଗ କରି ଆମେ ଅର୍ଥନୈତିକ ପ୍ରକ୍ରିୟାକୁ ଅଗ୍ରସର କରାଇପାରିବ ବୋଲି ସେ କହିଛନ୍ତି । ଲୋକାଲ୍ ପାଇଁ ଭୋକାଲ୍ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢ଼ିବା ବୋଲି ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

ଉଲ୍ଲେଖନୀୟ ଯେ, ବର୍ତ୍ତମାନର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ତଥା ଆସନ୍ତା ପାଞ୍ଚ ମାସ ପାଇଁ ବୃଦ୍ଧି କରାଯାଇଛି । ଏହାର ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ଆଗାମୀ ପାଞ୍ଚ ମାସ ପାଇଁ ଦିଆଯିବ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ମାସ୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ସାର୍ବଜନୀନ ସ୍ଥାନରେ ମାସ୍କ ନପିନ୍ଧିଥିବାରୁ ତାଙ୍କ ଠାରୁ ୧୩ ହଜାର ଟଙ୍କା ଆଦାୟ କରାଯାଇଛି ବୋଲି ଉଦାହରଣ ଦେବା ସହ ଦେଶବାସୀଙ୍କୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top