ଜୀବନ ମନ୍ତ୍ର

ରଥଯାତ୍ରା ପାଇଁ ସମସ୍ତେ ପ୍ରସ୍ତୁତ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରଥଯାତ୍ରା ପାଇଁ ଏବେ ଫୁଲ ପ୍ରସ୍ତୁତ ବଡ଼ଦାଣ୍ଡ । ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ରଥ । ଆସନ୍ତାକାଲି ହେବ ପୁରୀ ରଥଯାତ୍ରା । ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଗ୍ରୀନ୍‌ ସିଗ୍‌ନାଲ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିକୁ ଜୋରଦାର କରିଦିଆଯାଇଛି । ମୁଖ୍ୟ ଶାସନ ସଚିବ, ଡିଜିପି, ଆଇନମନ୍ତ୍ରୀଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସମୀକ୍ଷା ବୈଠକ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମୀକ୍ଷା କରୁଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ‘ଆମେ ପୁରା ପ୍ରସ୍ତୁତ ଅଛୁ । ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ପ୍ରସ୍ତୁତ ଅଛୁ । ଏହାସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ-19 ଗାଇଡଲାଇନ୍‌କୁ ନଜରରେ ରଖି ପ୍ରସ୍ତୁତି ଚାଲିଛି ।’

ପୁରୀ ବଡ଼ଦାଣ୍ଡରେ ଗଡ଼ିବ ଜଗାର ନନ୍ଦିଘୋଷ । ଏନେଇ ସୁପ୍ରିମକୋର୍ଟ ରାୟ ଦେଇଥିବା ବେଳେ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ମଧ୍ୟ ଦେଇଛନ୍ତି  । ଯଦି ଯାତ୍ରା ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ ରାଜ୍ୟ ସରକାର ଚାହିଁଲେ ରଥଯାତ୍ରା ବନ୍ଦ କରିବାର ନିଷ୍ପତ୍ତି ନେଇପାରିବେ । ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତି ବୈଠକ ଆରମ୍ଭ କରିଛନ୍ତି । ଏହାସହ ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ରଥାଯାତ୍ରା ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ‘ଜୟ ଜଗନ୍ନାଥ’ ଲେଖିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top