ଦେଶ

ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ନିସର୍ଗ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ହାଇଆର୍ଲଟ

ମୁମ୍ବାଇ: ମାଡି ଆସୁଛି ବାତ୍ୟା ନିସର୍ଗ । ଆଜି ଅପରାହ୍ନରେ ମହାରାଷ୍ଟ୍ର ଅଲିବାଗରେ ଲ୍ୟାଣ୍ଡଫଲ କରିବ । ଘଂଟା ପ୍ରତି ୧୧କିମି ବେଗରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ମୁହାଁ ହୋଇଛି । ଆସନ୍ତା ୬ ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ବର୍ତ୍ତମାନ ମୁମ୍ବାଇଠାରୁ ପ୍ରାୟ 150 କିଲୋମିଟର ଦୂରରେ ରହିଛି  ।

ଆଜି ଅପରାହ୍ନରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଅଲିବାଗ୍ ନିକଟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଘଂଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବୋହିପାରେ ।

ମୁମ୍ବାଇରେ 6 ଫୁଟ ଉଚ୍ଚରେ ଜୁଆର ଉଠିବାର ସମ୍ଭାବନା ରହିଛି । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ବାତ୍ୟା ପୂର୍ବରୁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ମୁମ୍ବାଇର ଘାଟକୋପର ଓ କୁର୍ଲା ଅଂଚଳରେ ପ୍ରବଳ ବର୍ଷା ସହ ଜୋରରେ ପବନ ବୋହୁଥିବା ଜଣାପଡିଛି ।

ସାମୁଦ୍ରିକ ଝଡ ଉପକୂଳକୁ ଯେତେ ପାଖେଇବ, ତୁହାକୁ ତୁହା ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବ । ସମ୍ଭାବ୍ୟ ବାତ୍ୟାର ସ୍ଥିତିକୁ ଆଖିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହାର  ମୁକାବିଲା ପାଇଁ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ 80 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଥିବା ବେଳେ ଏବେ ବାତ୍ୟା ବିପଦ ପ୍ରଶାସନର ନିଦ ହଜାଇ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top