ଦେଶ

ଭୟାନକ ରୂପ ନେଉଛି ବାତ୍ୟା ‘ନିସର୍ଗ’

ନୂଆଦିଲ୍ଲୀ:  କୋରୋନା ଭାଇରସ୍ ସଙ୍କଟ ସମୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ‘ନିସର୍ଗ’ ସାମୁଦ୍ରିକ ବାତ୍ୟାର ବିପଦ ଘନାଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଜୁନ୍ ୩ରେ ବାତ୍ୟା ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ବର ଏବଂ ଦାମନ ମଧ୍ୟରେ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟର ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ନିସର୍ଗ’ ଘୂର୍ଣ୍ଣିବଳୟ ଜୁନ୍ ୨ ସକାଳ ସୁଦ୍ଧା ଉତ୍ତର ଦିଗକୁ ଗତି କରିବ ।

ଏହାପରେ ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରିବା ପରେ ଏହା ହରିହରେଶ୍ବର (ରାୟଗଡ, ମହାରାଷ୍ଟ୍ର) ଏବଂ ଦାମନ ମଧ୍ୟରେ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳରୁ ଜୁନ୍ ୩ ସନ୍ଧ୍ୟା କିମ୍ବା ରାତି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏହାକୁ ଦୃଷ୍ଟିରେ ରଖି ତଳିଆ ସ୍ଥାନରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଏନଡିଆରଏଫର 10ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାତ୍ୟା ବିପଦକୁ ମୁକାବିଲା କରିବାକୁ ମୋଟ 23ଟି ଏନଡିଆରଏଫ  ଟିମ୍ ପ୍ରସ୍ତୁତ ଅଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ସହ ଏନଡିଆରଏଫ  ଟିମ୍ ଏହି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ଭେ କରୁଛନ୍ତି ।

ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ର ପ୍ରାକ୍ ପ୍ରସ୍ତୁତିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଏନଡିଏମଏ, ଏନଡିଆରଏଫ, ଆଇଏମଡି ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଏହି ସାମୁଦ୍ରିକ ବାତ୍ୟାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦିଆଯିବା ନେଇ ଗୃହମନ୍ତ୍ରୀ ଆଶ୍ବସନା ଦେଇଛନ୍ତି।

ଘୂର୍ଣ୍ଣିବଳୟ ‘ନିସର୍ଗ’ କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମୁମ୍ବାଇ ଏବଂ ଏହାର ଆଖପାଖ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ହରିହରେଶ୍ବର ସହର ମୁମ୍ବାଇ ଏବଂ ପୁଣେ ଉଭୟଠାରୁ ୨୦୦ କିଲୋମିଟର, ଦାମନଠାରୁ ୩୬୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ବେଳେ ଗୋଆ ଠାରୁ 300 କିଲୋମିଟର ଦୂରରେ ଅବସ୍ଥିତ । ଜୁନ୍ ୩ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏକ ଗଭୀର ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।ବାତ୍ୟାକୁ ନେଇ ବିଏମସି ପକ୍ଷରୁ ଲୋକମାନଙ୍କୁ ଆଲର୍ଟ ଜାରି କରାଯାଇଛି । ଲୋକମାନଙ୍କୁ ଝଡ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ବିଦ୍ୟୁତ ଖୁଣ୍ଟି ଏବଂ ଗଛ ତଳେ ଠିଆ ନହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top