ଦେଶ

WHO କୁ ଯୋଗାଉଥିବା ପାଣ୍ଠିରେ ରୋକ୍‌ ଲଗାଇଲା ଆମେରିକା

ଓ୍ୱାଶିଂଟନ: WHO କୁ ଯୋଗାଉଥିବା  ପାଣ୍ଠିରେ ରୋକ୍‌ ଲଗାଇଲା ଆମେରିକା ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରି ପକ୍ଷପାତିତା କରୁଥିବା ଦର୍ଶାଇଛି ଆମେରିକା। ଏଭଳି ଅଭିଯୋଗ ଆଣି WHOକୁ ଯେଉଁ ପାଣ୍ଠି ଯୋଗାଉଥିଲା ସେଥିରେ ରୋକ୍ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଏ ସମ୍ପର୍କରେ ନିଜେ ଟ୍ରମ୍ପ ଘୋଷଣା କରିଛନ୍ତି। ଆମେରିକା WHOକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବାବେଳେ ଚାଇନା ମାତ୍ର ୪୦ ମିଲିଅନ ଡଲାର ଦେଉଥିଲା। ଚାଇନା କୋରୋନାକୁ ନେଇ ଅନେକ ତଥ୍ୟ ଲୁଚାଉଛି। ଏମିତିକି କୋରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ନିଜେ WHO ବିଫଳ ବୋଲି ଟ୍ରମ୍ପ କହିଛନ୍ତି। ଯେତେବେଳେ ଚାଇନାରେ ଏହି ମହାମାରୀ ବିସ୍ତାର କରୁଥିଲା ସେତେବେଳେ WHO ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।

ଟ୍ରମ୍ପ ଫଣ୍ଡ ଉପରେ ରୋକ୍ ଲଗାଇବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡରୋସ କହିଥିଲେ, କୋରୋନା ଭାଇରସକୁ ନେଇ ରାଜନୀତି ନହେବା ଦରକାର। ଏବେ ଫଣ୍ଡ କାଟିବାର ସମୟ ନୁହେଁ ବରଂ ସମସ୍ତେ ଏକାଠି ହୋଇ ଏହି ଭାଇରସ ବିରୋଧରେ ଲଢ଼େଇ କରିବା ଦରକାର। ଯଦି ଆମେ ନସୁଧୁରିବା ତାହେଲେ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ। ତେଣୁ ଚାଇନା ଓ ଆମେରିକା ଏକାଠି ହୋଇ କାମ କରିବା ଦରକାର ବୋଲି ଟେଡରୋସ କହିଥିଲେ।

ସେହିପରି ଜତିସଂଘର ସଚିବ ଆଣ୍ଟୋନିଓ ଗୁଟେରସ କହିଥିଲେ, ‘WHOକୁ ସମର୍ଥନ କରିବା ଦରକାର। କରୋନା ସହିତ ମୁକାବିଲା କରିବା ପାଇଁ ସମସ୍ତଙ୍କ ସମର୍ଥନ ନିତାନ୍ତ ଆବଶ୍ୟକ। ଏହି ଭାଇରସ ସମସ୍ତଙ୍କ ପାଇଁ ଅଦୃଶ୍ୟ। ଏଭଳି ସ୍ଥିତିରେ ସମାନ ତଥ୍ୟଗୁଡିକ ବିଭିନ୍ନ ସଂସ୍ଥା ଦ୍ୱାରା ଭିନ୍ନ ଭିନ୍ନ ମତ ରଖାଯାଉଛି’ ବୋଲି ଆମେରିକା ରାଷ୍ଟ୍ରପତିଙ୍କୁ ପରୋକ୍ଷରେ ଜବାବ ଦେଇଥିଲେ ଗୁଟେରସ।

ସୂଚନାଯୋଗ୍ୟ, ଆମେରିକାରେ କୋରୋନାରେ ଏଯାବତ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସାରା ବିଶ୍ୱରେ ୨୧୦ଟି ଦେଶକୁ ଏହି ଭାଇରସ ବିସ୍ତାର କରିଛି। ଆମେରିକାରେ ସର୍ବାଧିକ ୬ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top