ନ୍ୟୁଜ୍

ପ୍ରକୃତ ଉଦ୍ଧାରକାରୀଙ୍କୁ ମିଳିଲାନି ଶ୍ରେୟ, ଏଥିରେ ବି ରାଜନୀତି !

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଡଙ୍ଗାବୁଡ଼ି ଘଟଣା ସାରା ରାଜ୍ୟରେ ଦୁଃଖର ଲହରୀ ଖେଳିଯାଇଥିବା ବେଳେ ବୁଡ଼ିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଦୁଇ ସାହସୀ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଉଭୟଙ୍କ ପାଠପଢ଼ା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରକୃତ ଉଦ୍ଧାରକାରୀଙ୍କୁ ଭୁଲିଯାଇଛି ଗଣମାଧ୍ୟମ ଆଉ ଭୁଲି ଯାଇଛନ୍ତି ସରକାର ।

ପିକନିକ୍ ସାରି ହୁକିଟୋଲା ବତୀଘରରୁ ଫେରୁଥିବା ସମୟରେ ନିପାଣିଆ ମୁହାଣରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଡଙ୍ଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମହଜୁଦ୍ ଥିଲେ । ତେବେ ଘଟଣାରେ ସ୍ଥାନୀୟ ବାସିନ୍ଦା ଦୁଇ ସାହାସୀ ଭଉଣୀ ନିଜ ଜୀବନକୁ ବାଜି ଲଗାଇ ପ୍ରାୟ ୧୩ ଜଣଙ୍କୁ ଉଦ୍ଧାର କରିଥିବା ଲୋକ ଲୋଚନକୁ ଆସିଥିଲା । ଏନେଇ ଦୁଇ ଭଉଣୀ ସବିତା ଗିରି ଏବଂ ପୂର୍ଣ୍ଣିମା ଗିରିଙ୍କୁ ସାଧାରଣରେ ପ୍ରଶଂସାର ସୂଅ ଛୁଟିଥିବା ବେଳେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ସମ୍ୱର୍ଦ୍ଧିତ ମଧ୍ୟ କରିଛନ୍ତି । ଏପରିକି ସେମାନଙ୍କ ସାହସିକତା ପାଇଁ ସେମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା ମଧ୍ୟ କରିଛନ୍ତି ।

ତେବେ ଏନେଇ ଏକ ସାଂଘାତିକ ଅଭିଯୋଗ ଏବେ ଲୋକଲୋଚନକୁ ଆସିଛି । ଅର୍ଗସ ନ୍ୟୁଜ୍ କୁ ମିଳିଥିବା ସୂଚନା ଅନୁସାରେ, ଡଙ୍ଗା ବୁଡ଼ି ଘଟଣାରେ ସ୍ଥାନୀୟ ବାସିନ୍ଦା ରେବତୀ ଦାସ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ରେବତୀ ଓ ତାଙ୍କ ପରିବାରର କହିବା ଅନୁସାରେ, ଘଟଣାସ୍ଥଳରେ ସର୍ବପ୍ରଥମେ ରେବତୀ ଓ ତାଙ୍କ ପରିବାର ଲୋକେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ ଏବଂ ହସ୍ପିଟାଲକୁ ଖବର ଦେଇଥିଲେ । ତେବେ ପ୍ରଶାସନ ଭୁଲ ବ୍ୟକ୍ତିଙ୍କୁ ପୁରସ୍କୃତ କରିଥିବା ଏବଂ ସମ୍ମାନୀତ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ରେବତୀ ଓ ତାଙ୍କ ପରିବାର ଲୋକେ ।

ସୂଚନା ଥାଉ କି, ଗତ ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ମୂହାଣରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ତେବେ ଚିତ୍କାର ଶୁଣି ମୁହାଣ ନିକଟରେ ଥିବା ସ୍ଥାନୀୟ ବାସିନ୍ଦା ଆସି ସର୍ବପ୍ରଥମେ ସହାୟତାର ହାତ ବଢ଼ାଇଥିଲେ । ସୂଚନା ଅନୁସାରେ ସେଠାରେ ୪ଟି ପରିବାର ଲୋକ ବାସ କରନ୍ତି । ସମସ୍ତେ ମିଳିମିଳି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ରେବତୀ ଦାସଙ୍କ ଭୂମିକା ମହତ୍ୱପୂର୍ଣ୍ଣ ଥିଲା । କିନ୍ତୁ କେଉଁ ଷଡ଼ଯନ୍ତ୍ର ବା କେଉଁ କାରଣରୁ ପ୍ରକୃତ ଉଦ୍ଧାରକାରୀଙ୍କୁ ସରକାର ଭୂଲିଗଲେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ତଥ୍ୟ ଅନୁସାରେ ପୁରସ୍କୃତ ଏବଂ ସମ୍ମାନୀତ ହୋଇଥିବା ଉଭୟ ଭଉଣୀ ସବିତା ଗିରି ଏବଂ ପୂର୍ଣ୍ଣମା ଗିରି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ହେଁ ରେବତୀ ଦାସ ହିଁ ସେହି ପ୍ରକୃତ ସାହସୀ ଝିଅ, ଯାହାଙ୍କ ପାଇଁ ୧୩ଜଣଙ୍କ ଜୀବନ ଉଦ୍ଧାର ହୋଇପାରିଥିଲା । କିନ୍ତୁ ସ୍ଥାନୀୟ କୁଜିନେତାଙ୍କ ରାଜନୀତି ଏବଂ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରକୃତ ବ୍ୟକ୍ତିଙ୍କୁ ସମ୍ମାନିତ କରାନଯାଇ, ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହ ଆର୍ଥିକ ସହାୟତା ଯୋଗାଇଦିଆଯାଇଛି । ତେବେ ଅଭିଯୋଗଟି ଯଦି ସତ, କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି, ତାର ସତ୍ୟ ସତ୍ୟତା ଲୋକଲୋଚନକୁ ଆସିବା ନିହାତି ଆବଶ୍ୟକ । ଏହାସହ ପ୍ରକୃତ ଉଦ୍ଧାରକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଏତେ ବଡ଼ ମହତକାର୍ଯ୍ୟ ନେଇ ସମ୍ମାନ ମିଳିବା ନିହାତି ଆବଶ୍ୟକ ।

 ଏହି ଷ୍ଟୋରୀଙ୍କୁ ଲେଖିଛନ୍ତି, ପ୍ରଜ୍ଞା ଭାରତୀ

Click to comment

Leave a Reply

Your email address will not be published. Required fields are marked *

Most Popular

To Top