ରାଜ୍ୟ

ଆସନ୍ତୁ ଜାଣିବା କଣ ପାଇଁ ଲାଗୁ କରାଯାଇଥାଏ ଲକଡାଉନ, ସଟଡାଉନ ଏବଂ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର: କରୋନା ଭାଇରସ୍ ବା କୋଭିଡ-19 ଏବେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁବରଣ କରୁଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷିତ କରି ସାରିବା ସହ ଏହାର ପ୍ରତିରୋଧ ପାଇଁ ପଦକ୍ଷେପ ନେବାକୁ ଅନେକ ରାଷ୍ଟ୍ରକୁ ପରାମର୍ଶ ମଧ୍ୟ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଉ ଏଥିପାଇଁ ପ୍ରୋଟୋକଲ ଓ ପ୍ରକ୍ରିୟା ମଧ୍ୟ ଧାର୍ଯ୍ୟ କରାଯାଇଛି। ଯେହେତୁ ବିଶ୍ଵର ସମସ୍ତ ବୈଜ୍ଞାନିକ ସଂପ୍ରତି କରୋନା ଚିକିତ୍ସା ପାଇଁ ଗବେଷଣା ଚଳାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଏହାର ଔଷଧ ମଧ୍ୟ ଆସିନାହିଁ। ତେଣୁ ଏଥିପାଇଁ ସରକାର ଲକଡାଉନ, ସଟଡାଉନ ଏବଂ କଣ୍ଟେନମେଣ୍ଟ ଜୋନ ଏରିଆ ଭଳି ନିଷ୍ପତ୍ତି ନେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ସବୁ ନିୟମରେ କଣ କଣ ବ୍ଯବସ୍ଥା ରହିଛି।

ଲକଡାଉନ
ଭାରତରେ ଡିସାଷ୍ଟର ମ୍ୟାନେଜମେଣ୍ଟ ଆଇନ 2005 ଅନୁସାରେ ଲକଡାଉନ ଲାଗୁ କରାଯାଇଥାଏ। ଏଥିରେ ବିଭିନ୍ନ ପ୍ରକାରର ନିୟମ ରହିଛି। ତାହା ହେଲା-
ଲକଡାଉନ ସମୟରେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପଡ଼ିବ। ବିନା କାରଣରେ କୌଣସି ବ୍ୟକ୍ତି ବାହାରକୁ ଆସିପାରିବେ ନାହିଁ। ଯଦି ଆସନ୍ତି ତାହେଲେ ଧାରା 188 ଅନୁଯାୟୀ ଉକ୍ତ ବ୍ୟକ୍ତିକୁ ଏକ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ସହ 200 ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିବ। ଖାଲି ଏତିକି ନୁହେଁ ମିଛ ଖବର ଚଲେଇବା ଏବଂ ଗୁଜବ ସୃଷ୍ଟି କର୍ତ୍ତାଙ୍କୁ 1 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦେବାର ନିୟମ ରହିଛି।

କେବଳ ଆବଶ୍ୟକୀୟ ଜିନିଷ ପାଇଁ ବାହାରକୁ ଆସିବା ପାଇଁ ନିୟମ ରହିଛି। ରାଜ୍ଯ ସରକାର ସ୍ଥିତି ଦେଖିକି କିଛି ସର୍ତ୍ତ ରଖିବେ। ଯାହାକୁ ପାଳନ କରି ଲୋକେ ଆସିବେ। ଓଡ଼ିଶାରେ ଲକଡାଉନ ସମୟରେ କେବଳ ତେଜରାତି ଦୋକାନ, ପନିପରିବା ଦୋକାନ, ଔଷଧ ଦୋକାନ, କ୍ଷୀର ଦୋକାନ, ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ସହ ଜରୁରୀକାଳୀନ ସେବା ଯୋଗାଉଥିବା ଅନୁଷ୍ଠାନ ଖୋଲା ରହିଛି। ଯଦିଓ କୌଣସି ବ୍ୟକ୍ତି ଆବଶ୍ୟକୀୟ କାମ ପାଇଁ ବାହାରକୁ ଆସେ ତାହେଲେ ତାକୁ ସାମାଜିକ ଦୂରତା ବଜାୟ ରଖିବା ସହ ସରକାରଙ୍କ ଗାଇଡଲାଇନ ମାନିବାକୁ ପଡ଼ିବ। କୌଣସି ଘରୋଇ ଗାଡି ଚଳାଚଳ ହୋଇପାରିବ ନାହିଁ। ପ୍ରଶାସନ ପକ୍ଷରୁ ଯାହାକୁ ପାସ୍ ଦିଆଯାଇଥିବ, ସେମାନେ ହି କେବଳ ଗାଡି ନେଇ ଯାଇ ପାରିବେ। ଅନ୍ୟ କୌଣସି ବ୍ୟକ୍ତି ଗାଡି ଆଣିଲେ ସେମାନଙ୍କ ଗାଡି ଜବତ କରିବା ସହ ମାମଲା ରୁଜୁ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସଟଡାଉନ
ସଟଡାଉନ ଏକ ପ୍ରକାରର କର୍ଫ୍ୟୁ ପରି ହୋଇଥାଏ। ଏଥିରେ ବିଭିନ୍ନ ପ୍ରକାରର ନିୟମ ରହିଛି। ଯାହାକୁ ବିଚାର କରି ସରକାର ଲାଗୁ କରନ୍ତି।ସଟଡାଉନ ସମୟରେ ଘରଠୁ ଆରମ୍ଭ କରି ଦୋକାନ-ବଜାର ପର୍ଯ୍ୟନ୍ତ ସବୁ ବନ୍ଦ ରହିଥାଏ । ଘରୁ କେହିବି ବ୍ୟକ୍ତି ପାଦ ବାହାର କରି ପାରିବେ ନାହିଁ। କୌଣସି ଗାଡି-ମୋଟର ରାସ୍ତା ଉପରେ ଚାଲି ପାରିବ ନାହିଁ। କେବଳ କିଛି ଔଷଧ ଦୋକାନ ଏବଂ ମେଡିକାଲକୁ ଛାଡି ଦେଲେ ଅନ୍ୟ କିଛି ଖୋଲାଯାଇ ପାରିବ ନାହିଁ। ଏହା ସହ କିଛି ମାତ୍ରାରେ ପେଟ୍ରୋଲ ପମ୍ପ ମଧ୍ୟ ଖୋଲିବାକୁ ନିୟମ ରହିଛି। ସଟଡାଉନରେ ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରଖିବାକୁ ନିୟମ ରହିଛି। ଏହି ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ନିର୍ଦ୍ଧାରଣ କରିଥିବା ଆଇନ ଏବଂ ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥାଏ।

କଣ୍ଟେନମେଣ୍ଟ ଜୋନ
ସଂକ୍ରାମକ ରୋଗ ଆକ୍ଟ 1897ର ଧାରା 2,3 ଓ 4 ଅନୁଯାୟୀ କୌଣସି ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାର ରାଜ୍ୟ ସରକାରଙ୍କ ପାଖରେ କ୍ଷମତା ରହିଛି। ତେବେ ଆସନ୍ତୁ ଜାଣିବା କଣ୍ଟେନମେଣ୍ଟ ଜୋନରେ କଣ ରହିଛି ନିୟମ। ଯଦି କୌଣସି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତାହେଲେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ଘୋଷଣା କରିବାର କ୍ଷମତା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ନିୟମ ଅନୁସାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରୁ 3 କିମି ବ୍ୟାସାର୍ଦ୍ଧରେ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ଦିଆଯାଇଥାଏ। ଏହି ସ୍ଥାନରେ ସମସ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ନିଷିଦ୍ଧ କରାଯାଇଥାଏ। ଲୋକଙ୍କ ଆବଶ୍ୟକୀୟ ଅନୁଯାୟୀ ପ୍ରଶାସନ ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇଥାଏ। ଏହି ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

ତେବେ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଷ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଯାଇଥାଏ। ସମ୍ପୂର୍ଣ୍ଣ ଅଞ୍ଚଳକୁ ବିଶୋଧନ କରାଯାଇଥାଏ। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ସହ ସେମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥାଏ।
ତେବେ ଏହି ନିୟମ ଲାଗୁ କରିବା ଯୋଗୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା କମ ହୋଇଯାଏ। ଆଉ ଏଭଳି ନିୟମକୁ ବର୍ତ୍ତମାନ ଓଡିଶା ସରକାର ଦୃଢତା ସହ ଲାଗୁ କରୁଛନ୍ତି।
ଏହି ମହାମାରୀ ସହ ମୁକାବିଲା କରିବା ପାଇଁ ଏହି ସବୁ ନିୟମକୁ ପାଳନ କରିବା ସହ ସଚେତନତା ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top