ନୟାଗଡ଼: ପୋଲିସି ଅଧିକାରୀଙ୍କ ଖାମଖିଆଲି ତଦନ୍ତ ପାଇଁ ଚାରି ବର୍ଷ ଧରି ନିଜର ପୋଲିଓ ଆକ୍ରାନ୍ତ ଶିଶୁ ସହ ଜେଲରେ ସଜା କାଟୁଛି ନାବାଳିକା ମାଆ । ତେବେ ଦୀର୍ଘ ଚାରି ବର୍ଷ ଧରି ଏଦିଗରେ ନାବାଳିକାକୁ ନ୍ୟାୟ ଦେବାକୁ ନା ପ୍ରଶାସନ ନା ପରିବାର ଲୋକେ କେହିବି ସହାୟତାର ହାତ ବଢାଉନଥିବାରୁ ନ୍ୟାୟ ଅପେକ୍ଷାରେ ଜେଲରେ ଅଜୀବନ ସଜା କାଟୁଛି ନୟାଗଡ ନୂଆଗାଁ ଥାନା ଶିଖରଗୋଛା ଗାଁର ଅସହାୟ ନାବାଳିକା ବିନିତା ।
ନ୍ୟାୟ ଅପେକ୍ଷାରେ ବିନିତା । ଗୁଜୁରାଟ ଅମ୍ବାନଗରୀର ପ୍ରବାସୀ ଓଡିଆ ବନିତା ପ୍ରଧାନ ୨୦୧୩ ମସିହାରେ ଦୁଶାସନ ସେଠିଙ୍କୁ ପ୍ରେମ ବିବାହ କରିଥିଲେ । ବାହାଘରର ଦୁଇ ବର୍ଷ ପରେ ନିଜ ଯା ‘ କୁ ହତ୍ୟା କରିବା ଅପରାଧରେ ସ୍ୱାମୀ ଓ ଶାଶୂଙ୍କ ସହ ବନିତାଙ୍କୁ ଗିରଫ କରାଯାଇଥିଲା । ଗିରଫ ସମୟରେ ବନିତାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ପୋଲିସ କିନ୍ତୁ ବନିତାଙ୍କୁ ସାବାଳିକା ଦର୍ଶାଇ ଚାର୍ଜସିଟ୍ ଫାଇଲ କରିଥିଲା ।
ଏହି ଭିତ୍ତିରେ ଜିଲ୍ଲା ଦୈାରାଜଜ ତାଙ୍କୁ ବାଳ ସୁଧାର ଗୃହକୁ ନପଠାଇ ଆଜୀବନ କାରାଦଣ୍ଡର ସଜା ଶୁଣାଇଦେଲେ । ପରେ ସ୍କୁଲ ସାର୍ଟିଫିକେଟରୁ ତାଙ୍କର ପ୍ରକୃତ ବୟସ ୧୭ ବର୍ଷ ଜଣା ପଡିବା ପରେ ମାମଲାର ପୁନଃବିଚାର ପାଇଁ ଦୈାରାଜଜ କିଶୋର ନ୍ୟାୟାଳୟ ପରିଷଦକୁ ଚିଠି ଲେଖିଥିଲା । ମାତ୍ର ଏ ନିର୍ଦ୍ଦେଶ କୋର୍ଟର ନାଲିଫିତା ତଳେ ବର୍ଷବର୍ଷ ଧରି ପଡିରହିଛି । ସେପଟେ ବନିତାଙ୍କ ସ୍ୱାମୀ ଓ ଶାଶୂ ଜେଲରୁ ଖଲାସ ହୋଇ ବାହାରି ଯାଇଥିବା ବେଳେ ବନିତାଙ୍କ ସ୍ୱାମୀ ଦୁଶାସନ ଏବେ ସୁରାଟରେ ଅନ୍ୟତ୍ର ବିବାହ କରିସାରିଲେଣି । ଝିଅ ଅନ୍ୟଜାତିର ପୁଅକୁ ବିବାହ କରିଥିବାରୁ ନିଜ ପରିବାର ଲୋକେ ମଧ୍ୟ ବନିତାଙ୍କୁ ପଚାରୁ ନାହାନ୍ତି ।
ଯାହାକୁ ବିଶ୍ୱାସ କରି ବନିତା ସଂସାର କରିଥିଲା ସେ ବିଶ୍ୱାସ ରେ ବିଷ ଦେଲା । ଅନ୍ୟ ପଟେ କୋର୍ଟର ନାଲିଫିତା ତଳେ ବନ୍ଧା ପଡିଛି ନବାଳିକା ବନିତା ଓ ତାର ଚାରି ବର୍ଷର ନିଷ୍ପାପ ଶିଶୁର ଜୀବନ । ଏହି ନିରିହ ମାଁପୁଅକୁ ଦେଖିଲେ ଲାଗୁଛି ଦେଶର ଆଇନ ବ୍ୟବସ୍ଥା ସତରେ ଅନ୍ଧ !
